ଗୋପାଳ ଚନ୍ଦ୍ର ସେନ
କୟଥପଲ୍ଲା, ଖୋରଧା

କବିତା,
ତୁମ କଥା ହାଟରେ ଘାଟରେ
ମାଛୁଆ ପେଣ୍ଠରେ ହେଉଅଛି ଚର୍ଚ୍ଚା ।
କବିତା ଗୋ ଆଜିକାଲି
ମୋତେ ବି ଯାଇଛ ଭୁଲି
ହାଡୁଆ ପିଠିର ଗାଢୁଆ ବାରତା
ଏବେ କିନ୍ତୁ କରୁନାହଁ ଚିନ୍ତା ।

କବିତା,
ଲାଲ ଖରାବେଳେ
ପୋରୁହାଁ ପୋଖତି ର ପହ୍ନାରୁ
ଶୁଭୁଅଛି କାହ୍ନା ତତଲା ନିଃଶ୍ବାସ ,
ମରୁଡିରେ ବିକ୍ରିହୁଏ
ଜନ୍ମିତ ରକତ,
ପେଟପାଇଁ ଖୋଲେ ବେଶ୍ୟାଳୟ
କାଗଜରେ ଚାଲେ ବିଦ୍ୟାଳୟ
ତଥାପି ତୁମ ନୀରବତା, ମନେ ଦିଏ ବ୍ୟଥା
ମାନିନୀ କବିତା ।

କବିତା ଗୋ
ଶଗଡ ଦେହର ମୋ ସୁଗୁଡାକ ଗଣ୍ଡି
ପଢିବାକୁ ମୋତେ
ଫାଡିଦେ କଳା ପରଦା,ଲଙ୍ଘିଯା ପାଷାଣ ବାଧା
ଅବୟବେ ତୋର ଫୁଟିଉଠୁ ମଣିଷର ଭାଷା
ମାନିନୀ କବିତା ମାନିନୀ କବିତା ।