ସୌମ୍ୟ ସାରସ୍ଵତ ଦାଶ, ଚମ୍ପୁଆ, କେଉଁଝର

ଆଉ କେତେ ବା କାନ୍ଦିବ,
ଏ ଭଙ୍ଗା ଆକାଶ,
ସାତ ଦିନ, ସାତ ବର୍ଷ ନା ସାତ ଯୁଗ ?
ପ୍ରତି ପକ୍ଷରେ ରୂପ ବଦଳଉ ଥିବା,
ନିର୍ଲ୍ଲଜ ଚନ୍ଦ୍ରମା ପାଇଁ...
ସେ ଯେଉଁ ଲୁହ ଝରେ,
ପାହାଡ଼ର ବକ୍ଷ ଉପରେ,
ଟୋପା ଟୋପା ନିଗିଡ଼ା କୋହର ଝର୍ଣା !
ପଥର ଫାଙ୍କରୁ ଯାହା ଶୁଭେ
ଖାଲି କାନ୍ଦିବାର ଶବ୍ଦ !
ସେ ସ୍ଵର ଲୁଚିଯିବା ଭଲ,
ଚକମକ୍ ବିଜୁଳି, ଘଡ଼ଘଡ଼ି,
ବେଙ୍ଗମାନଙ୍କର ରଡ଼ି ମଧ୍ୟରେ..
ଏବେ ଅଦୃଶ୍ୟ ହେଇଯିବା ଭଲ,
ଧୋଇ ନେଇ
ଅନେକ ଅପନ୍ତରା,
ଅନେକ ପାପ,
ଫୁଲ, ଅଙ୍ଗାର,
ଆଉ ଧିରେ ଧିରେ ସଢ଼ି ଆସୁଥିବା,
ବିଶ୍ଵାସର ଶବ..
ଯା ଫେରିଯା ରେ ଭାଦ୍ରବ,
କିଛି ବି ପୋଛିବାର ନାହିଁ,
ସେ ଲୁହ କଣ ଆଉ ଲୁହ ହେଇ ଅଛି,
ସେ ତ ଏବେ ସମୁଦ୍ର !
ଯେଉଁଠି ଜୁଆର ଉଠେ,
ପ୍ରତେକ ପୂର୍ଣ୍ଣିମା ରାତିରେ...