ଅବନ୍ତିକା ପଟ୍ଟନାୟକ, ମଙ୍ଗଳାଯୋଡି, ଖୋର୍ଦ୍ଧା


ସନ୍ତାନ ମାନେ ହେଉଛନ୍ତି ପିତା ମାତା ଆଉ ପରିବାରର ଗର୍ବ ଓ ଗୌରବ । ଅନେକ ପରିବାରରେ ଅଭାବ ଅନାଟନ ଭିତରେ ଧାର କରଜ କରି ସନ୍ତାନଟିକୁ ମଣିଷ କରିବା ଲକ୍ଷ୍ୟରେ ପିତା ମାତା ଅନେକ କଷ୍ଟକୁ ଆପଣେଇ ନେଇଥାନ୍ତି । ପିଲାଟି ଯେତେବେଳେ ନିଜ ଗୋଡରେ ଠିଆ ହୁଏ ଆଉ ସମାଜରେ ପ୍ରତିଷ୍ଠିତ ହୁଏ ସେତେବେଳେ ସେ ଭୁଲିଯାଉଛି ନିଜର ପିତା ମାତା ଆଉ ପ୍ରିୟ ପରିଜନ ମାନଙ୍କୁ । ପାଲଟି ଯାଏ ଗୋଟାଏ ସ୍ୱାର୍ଥପର ମଣଷ ଆଉ ନିଜ ସୁଖ ସ୍ୱାସ୍ଥ୍ୟନ୍ଦକୁ କେବଳ ଗୁରୁତ୍ୱ ଦେଇଥାଏ । ଚତୁର୍ଥ ଅବସ୍ଥାରେ ପଦାର୍ପଣ କରିଥିବା ବୃଦ୍ଧ ପିତା ମାତା ମାନେ ସେମାନଙ୍କୁ ବିଷ ତୁଲ୍ୟ ମନେ ହୁଅନ୍ତି । ଗାଁ’ରେ ଅବହେଳିତ ଭାବେ ସେମାନଙ୍କୁ ଛାଡି ଦେଇ ଖୁବ୍ ଗର୍ବ ଅନୁଭୋବ କରେ ସେ ନିଜ ସ୍ଥିତିକୁ ନେଇ । ଆଉ ଖୋଜି ଖୋଜି ଯେତେବେଳେ ବୃଦ୍ଧ ପିତା ମାତା ପୁଅଟି ପାଖରେ ପହଞ୍ଚିଥାନ୍ତି ସେତେବେଳେ ସନ୍ତାନଟିର ଆତ୍ମସମ୍ମାନ ଉପରେ ଆଞ୍ଚ୍ ଆସେ ପରିଚୟ ଦେବାକୁ କୁଣ୍ଠାବୋଧ କରେ ଯେ ଏମାନେ ମୋ ପିତା ମାତା । ଫକୀର ମୋହନଙ୍କ ‘ଡାକମୁନିସୀ’ ଗଳ୍ପ ଏହାର ନିଚ୍ଛକ ଉଦାହରଣ । ଏହି ସାମାଜିକ ବ୍ୟବସ୍ଥାର ଅଧୋଗତିକୁ ମର୍ମେ ମର୍ମେ ଉପଲବ୍ଧି କରିଛନ୍ତି ଗାଳ୍ପିକ ଫକୀର ମୋହନ । ମାନବିକ ମୁଲ୍ୟବୋଧର ସୁରକ୍ଷା ପାଇଁ ସେ ଏହି ଡାକମୁନିସୀ ଗଳ୍ପ ମାଧ୍ୟ୍ୟମରେ ସମାଜକୁ ଏକ ଆହ୍ୱାନ ଦେଇଛନ୍ତି । ତତ୍କାଳୀନ ସାମାଜିକ ବ୍ୟବସ୍ଥାର ଏହା ଏକ ନିଖୁଣ ଆଉ ବାସ୍ତବ ପ୍ରତିଛବି । ସାମ୍ପ୍ରତିକ ସମାଜରେ ମଧ୍ୟ ଏହି ପରି ନଜିର ଦେଖିବାକୁ ଅନେକ ପରିବାରରେ ମିଳେ । ଏଭଳି ଅଧୋପତନର ଶିକାର ହେଉଥିବା ମଣିଷ ମାନେ ଏହି ଗଳ୍ପରୁ କିଛି ଶିକ୍ଷା କରିବା ଉଚିତ । କାରଣ ପିତା ମାତା ହେଉଛନ୍ତି ସାକ୍ଷାତ ଈଶ୍ୱର ।