ଇଂ ଦୀପ୍ତି ରଞ୍ଜନ ପଣ୍ଡା, ନିର୍ବାହୀ ଯନ୍ତ୍ରୀ
ଖୋର୍ଦ୍ଧା ଜଳସେଚନ ବିଭାଜନ, ଖୋର୍ଦ୍ଧା


ଆଜି ସ୍ଵର୍ଗର ବିଧାନସଭାରେ ସ୍ଵଳ୍ପକାଳୀନ ଜରୁରୀ ସ୍ଵତନ୍ତ୍ର ଅଧିବେଶନ ପାଇଁ ଖୁବ ଗହଳି । ମୁଖ୍ୟମନ୍ତ୍ରୀ ବିଷ୍ଣୁ, ତାଙ୍କ କ୍ୟାବିନେଟ ସହଯୋଗୀ ବୃନ୍ଦ ଓ ବିଧାନସଭାର ସମସ୍ତ ସଭ୍ୟ ନିଜ ନିଜର ଆସନରେ ବସି ଗଲେଣି । ସ୍ଵର୍ଗ, ମର୍ତ୍ତ୍ୟ ଓ ପାତାଳର ସାମ୍ବାଦିକମାନେ ମଧ୍ୟ ତାଙ୍କ ଉଦ୍ଦିଷ୍ଟ ଆସନରେ ବହୁ ପୂର୍ବରୁ ଉପବିଷ୍ଟ । ସ୍ଵର୍ଗପାଳ ଶ୍ରୀ ବ୍ରହ୍ମାଙ୍କ ଆଗମନକୁ ସମସ୍ତଙ୍କର ଅପେକ୍ଷା । ସ୍ଵାଗତ ଭାଷଣ ପରେ ପରେ ଏହି ସ୍ଵତନ୍ତ୍ର ଅଧିବେଶନ ପାଇଁ ଆଲୋଚନା ହେବ । ଅବକାରୀ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ଶିବଙ୍କର ଏହି ଅଧିବେଶନ ପାଇଁ ବ୍ୟଗ୍ରତା ଆଦୌ ନାହିଁ । ସେ ଚିଲମରେ ଗଞ୍ଜେଇ ଟିକେ ଜୋରରେ ମାରି ଆଖିକୁ ଲାଲ କରି ଆଗ ଧାଡିରେ ଢୁଳାଇବାରେ ବ୍ୟସ୍ତ ।


ସ୍ଵର୍ଗପାଳ ବ୍ରହ୍ମା ଏଇମାତ୍ର ପହଞ୍ଚି ସଙ୍ଗେ ସଙ୍ଗେ ତାଙ୍କର ସ୍ଵାଗତ ଭାଷଣ ଜାତୀୟ ସଙ୍ଗୀତ ଗାନ ଗାନ ପରେ ପରେ ଆରମ୍ଭ କରିବାକୁ ଲାଗିଲେ । “ମାନନୀୟ ମୁଖ୍ୟମନ୍ତ୍ରୀ ଓ ତାଙ୍କ ମନ୍ତ୍ରୀମଣ୍ଡଳର ଅନ୍ୟାନ୍ୟ ମନ୍ତ୍ରୀ, ବିରୋଧୀ ଦଳ ନେତା ଶୁକ୍ରାଚାର୍ଯ୍ୟ, ସଭାରେ ଉପସ୍ଥିତ ସମସ୍ତ ବିଧାୟକ ଓ ବିଧାୟିକା ବୃନ୍ଦ ଏବଂ ଉପସ୍ଥିତ ଅନ୍ୟାନ୍ୟ ସମସ୍ତ ଦେବତା, ଦେବୀ ଓ ଅସୁରଗଣ । ଆଜି ବିଧାନସଭାର ଏଇ ସ୍ଵତନ୍ତ୍ର ଅଧିବେଶନ ଡକାଯିବାର ଉଦ୍ଦେଶ୍ୟ ମୁଁ ଆପଣ ମାନଙ୍କୁ ଜଣାଇ ଦେବାକୁ ଚାହେଁ । ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ପାଇ ଆମ୍ଭେମାନେ ସେତେବେଳେ ଯେତେ ଖୁସି ହୋଇଥିଲେ ବର୍ତ୍ତମାନ ସେହି ଅମୃତ ଆମପାଇଁ ବିଷ ସଦୃଶ ତାହା ସମସ୍ତେ ହୃଦୟଙ୍ଗମ କରିବା ଉଚିତ । ସେହି ଅମୃତକୁ ଆମେ ଏବଂ ଆମ୍ଭମାନଙ୍କର ପିଲାନାତି ଖାଇ ଦେବସଂଖ୍ୟା ଏପରି ଭାବରେ ବଢାଇ ଚାଲିଛନ୍ତି ଯେ ସ୍ଵର୍ଗରେ ସମସ୍ତେ ରହିବା ପାଇଁ ଆଉ ଜାଗା ନାହିଁ । ଅମୃତ ଖାଇ ସମସ୍ତେ ଅମର ହେବା ଫଳରେ ବର୍ତ୍ତମାନ ଜାଗା ସମସ୍ୟା ସ୍ଵର୍ଗର ସବୁଠାରୁ ବଡ ସମସ୍ୟା । ଅବଶ୍ୟ ଏହାର ପୂର୍ବ ବିଧାନସଭା ଅଧିବେଶନରେ ଏ ବିଷୟରେ ସମ୍ୟକ ଆଲୋଚନା ହୋଇଥିଲା । ମର୍ତ୍ତ୍ୟର ପୃଥିବୀରେ ଥିବା ବିଭିନ୍ନ ଦେଶକୁ ଆମ୍ଭର ସ୍ଵତନ୍ତ୍ର ଦୂତଭାବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ନାରଦଙ୍କୁ ମର୍ତ୍ତ୍ୟକୁ ପଠାଯାଇଥିଲା । ମର୍ତ୍ତ୍ୟର ବିଭିନ୍ନ ଦେଶ ବୁଲି ସେଠିକାର ପରିବେଶ, ଜଳବାୟୁ ଏବଂ ସେଠାକାର ନେତାମାନଙ୍କୁ ଭେଟି ଦେବତାମାନଙ୍କ ପାଇଁ କିଛି ଜାଗା ସଂଗ୍ରହ କରିବା ତାଙ୍କର ମୂଳ ଲକ୍ଷ୍ୟ ଥିଲା । ଯଦି ମର୍ତ୍ତ୍ୟରେ କିଛି ଜାଗା ସେମାନେ ଆମ୍ଭକୁ ଦେବେ ତେବେ ଅନ୍ତତଃ କିଛି ଦେବତାଙ୍କୁ ମର୍ତ୍ତ୍ୟର ପୃଥିବୀରେ ଥଇଥାନ କରାଯାଇପାରନ୍ତା । ତେଣୁ ଆମ୍ଭେ ଏହି ସ୍ଵତନ୍ତ୍ର ଅଧିବେଶନ ଡକାଇବାର ମୂଳ ଉଦ୍ଦେଶ୍ୟ ହେଉଛି ଆଲୋଚନା ମାଧ୍ୟମରେ କିପରି ଦେବତା ମାନଙ୍କର ସଂଖ୍ୟା କମାଯାଇପାରିବ ଏବଂ ମର୍ତ୍ତ୍ୟରେ କିଛି ଦେବତାଙ୍କୁ କିପରି ଥଇଥାନ କରାଯିବ ସେ ବିଷୟରେ ଆଲୋଚନା କରାଯିବ । ତେଣୁ ମୁଁ ଏ ଅଧିବେଶନରେ ଆଲୋଚନା ପାଇଁ ଏଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ତାଙ୍କର ସୁଚିନ୍ତିତ ମତାମତ ପାଇଁ ସ୍ଵାଗତ କରୁଛି ଏବଂ ତାହା ପୂର୍ବରୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ନାରଦଙ୍କୁ ଅନୁରୋଧ କରୁଛି ସେ ମର୍ତ୍ତ୍ୟରୁ ଆଣିଥିବା ଖବର ଗୃହର ଅବଗତି ନିମନ୍ତେ ଆଗେ ଜଣାନ୍ତୁ ।"


ସୂଚନା ଓ ପ୍ରସାରଣ ମନ୍ତ୍ରୀ ତାଙ୍କର ବକ୍ତବ୍ୟରେ କହିବାକୁ ଲାଗିଲେ, “ମୁଁ ଦେବତା ମାନଙ୍କର ସ୍ଵତନ୍ତ୍ର ଦୂତ ହୋଇ ପୃଥିବୀର ସବୁଦେଶର ଶାସକମାନଙ୍କ ସହିତ ଆଲୋଚନା କରି ଫେରିଛି । ପୃଥିବୀର ପ୍ରାୟ ଅଧିକାଂଶ ଦେଶରେ ସେ ଦେଶର ଲୋକସଂଖ୍ୟା ତୁଳନାରେ ଜାଗା ବହୁତ କମ । କେବଳ ରୁଷିଆ, ଆରବଦେଶ ଏବଂ ଗ୍ରୀନଲ୍ୟାଣ୍ଡ ଦ୍ଵୀପରେ ସେମାନେ ଦେବତା ମାନଙ୍କୁ କିଛି ଜାଗା ଦେଇପାରିବେ ବୋଲି ରାଜି ହୋଇଛନ୍ତି । କିନ୍ତୁ ବଡ ସମସ୍ୟା ହେଉଛି ରୁଷିଆ ଦେଶରେ ସାଇବେରିଆ ଅଞ୍ଚଳ ଏବଂ ଗ୍ରୀନଲ୍ୟାଣ୍ଡ ଦ୍ଵୀପର ସବୁଜାଗା ସଂପୂର୍ଣ୍ଣ ବରଫ ଦ୍ଵାରା ବର୍ଷସାରା ଆଦୃତ । ତେଣୁ ଦେବତାମାନଙ୍କୁ ସେଠାରେ ସ୍ଥାୟୀ ବସବାସ କରିବା ପୂର୍ବରୁ ବରଫଆଣି ସେମାନଙ୍କୁ ତାଲିମ ଦେବାକୁ ପଡିବ ଏବଂ ସ୍ଵତନ୍ତ୍ର ଚମଡାର ପୋଷାକ ତାଙ୍କ ପାଇଁ ତିଆରି କରିବାକୁ ପଡିବ । ଅନ୍ୟ ଗୋଟିଏ ବଡ ସମସ୍ୟା ହେଉଛି ବରଫ ଅଞ୍ଚଳରେ ରହିବାକୁ ହେଲେ ମାଂସ ନିହାତି ଖାଇବାକୁ ପଡିବ । ସେହିପରି ଆରବ ଦେଶରେ ରହିବାକୁ ଅଧିକାଂଶ ଅଞ୍ଚଳ ହେଉଛି ମରୁଭୁମି । ଯେଉଁଆଡେ ଦେଖିବ ଖାଲି ବାଲି ଏବଂ ଜଳର ଘୋର ଅଭାବ । ଖଜୁରୀକୋଳି ସେଠିକାର ମୁଖ୍ୟ ଖାଦ୍ୟ । ତେଣୁ ମର୍ତ୍ତ୍ୟକୁ ଦେବତାମାନଙ୍କୁ ପଠାଯିବା ପୂର୍ବରୁ ଏସବୁ ବିଷୟରେ ଟ୍ରେନିଂ ଦେଇ କିଛି ଦେବତାଙ୍କୁ ପଠାଯାଇପାରେ ।"


ନାରଦଙ୍କ ବକ୍ତବ୍ୟ ଶେଷ ପରେ ଦେବସଂଖ୍ୟା କିପରି ରୋକାଯାଇପାରିବ ସେ ବିଷୟରେ ଶାସକଦଳ ଏବଂ ବିରୋଧିଦଳର ସଭ୍ୟବୃନ୍ଦ ସେମାନଙ୍କର ନିଜସ୍ୱ ମତ ଗୃହରେ ଉପସ୍ଥାପିତ କରିଥିଲେ । ଏବଂ ସର୍ବାଦଳୀୟ ମତ ନିମ୍ନଲିଖିତ ପ୍ରକାରେ ଗୃହର କ୍ୟାବିନେଟରେ ଦଳମତ ନିର୍ବିଶେଷରେ ଅନୁମୋଦନ ଲାଭ କରିଥିଲା ।


୧- ବର୍ତ୍ତମାନ ସ୍ଵର୍ଗର ବ୍ୟାଙ୍କ ମାନଙ୍କ ଲକରରେ ଗଚ୍ଛିତ ଥିବା ଅବଶିଷ୍ଟ ଅମୃତକୁ ସଙ୍ଗେ ସଙ୍ଗେ ନେଇ ସମୁଦ୍ରରେ ଢାଳିଦେବାକୁ ପଡିବ । ତାଦ୍ଵାରା ଆମକୁ ଜନ୍ମ ହେବାକୁ ଥିବା ଦେବଶିଶୁମାନେ ତାହା ଖାଇବାରୁ ବଞ୍ଚିତ ହେବେ ଏବଂ ନିଶ୍ଚିତ ଭାବେ ମରିବେ । ତାଦ୍ଵାରା ଦେବସଂଖ୍ୟା କିଛି ପରିମାଣରେ ରୋକାଯାଇପାରିବା ।


୨- ଯେଉଁମାନେ ଅମୃତ ଖାଇସାରିଛନ୍ତି ସେମାନେତ ମରିବେ ନାହିଁ କିନ୍ତୁ ସ୍ଵତନ୍ତ୍ର ଯୋଜନା ଅନୁଯାୟୀ ସେମାନଙ୍କ ଭିତରେ ଯେଉଁମାନେ ବିବାହିତ ଏବଂ ତାଙ୍କର ପିଲା ହୋଇସାରିଛି ସଙ୍ଗେ ସଙ୍ଗେ ସେମାନଙ୍କୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ଵନୀକୁମାରଙ୍କ ତତ୍ଵାବଧାନରେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିଦିଆଯିବ । କିନ୍ତୁ ଅସ୍ତ୍ରୋପଚାର କିପରି କରାଯାଏ ? ପ୍ରଥମେ ସ୍ଵର୍ଗର ବଛା ବଛା ଡାକ୍ତର ମର୍ତ୍ତ୍ୟକୁ ଯାଇ ଏହି ବିଷୟରେ ଟ୍ରେନିଂ ନେଇ ଆସିବେ । କିନ୍ତୁ ଯେଉଁମାନେ ବିବାହ କରି ନାହାନ୍ତି ବିବାହ ପରେ ତାଙ୍କର ଗୋଟିଏ ସନ୍ତାନ ହୋଇସାରିବା ପରେ ଏଇ ପଦ୍ଧତି ତାଙ୍କ ପାଇଁ ମଧ୍ୟ ଲାଗୁ ହେବ ।


୩- ମର୍ତ୍ତ୍ୟର ସାଇବେରିଆ, ଗ୍ରୀନଲ୍ୟାଣ୍ଡ ଏବଂ ଆରବଦେଶକୁ ପଠାଯିବା ପୂର୍ବରୁ ରାଜି ଥିବା ସମସ୍ତ ଦେବଗଣଙ୍କୁ ସେ ଜାଗାର ଭୌଗଳିକ ସ୍ଥିତି ଅନୁଯାୟୀ ଟ୍ରେନିଂ ନେବାକୁ ପଡିବ ।


ଏହା ପରେ ବିଧାନସଭାର ବୈଠକ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରହିଥିଲା ।