ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
ଶୀତ ଆସି ଗୀତ ଗାଇଲାଣି ପରା
ସୁଲୁ ସୁଲୁ କହେ ଉତ୍ତରା ବାଆ
ପ୍ରଦୋଷେ ଇନ୍ଦୁ ଢାଳଇ ଜୋଛନା
ଲାଗଇ ସତେକି ଶୀତଳ ଛୁଆଁ ।
ସରଗ ରାଇଜୁ ରୂପାଥାଳି ଜହ୍ନ
ଦେଖି ହସୁଥାଏ ଧରଣୀ ରାଣୀ
କୁଆଁର ପୁନେଇଁ କୁଆଁରୀ ମେଳରେ
ଗୀତ ଶୁଭେ ଫୁଲ ବଉଳବେଣୀ ।
ସୁଷୀମ ଅସୀମ ଟୋପି ଟୋପି ହୋଇ
ଝରେ ନୀଳଘାସ ଗାଲିଚା ପରେ
ମଧୁ ଯାମିନୀର ମଧୁର ଲଗନେ
ଶୀତ ହଯେ ଯେବେ କାମିନୀ କୋଳେ ।
କାକର ଭିଜାଏ ପ୍ରକୃତି କୋଳରେ
ସବୁଜ ପତରେ ଶୀକର ମାଳା
ଦିଶଇ ଶୋଭାକି ମୁକୁତା ମାଳିରେ
ଅବନୀ ରାଣୀ ତା ମଣ୍ଡିଛି ଗଳା ।
ଏ ଶିଶିର କାଳ ଅତିବ ସୁନ୍ଦର
ମରତରେ ଆସେ ବରଷେ ଥରେ
ସୁଖ ଦୁଃଖର ବାରତା ବାଣ୍ଟଇ
ଗୀତ ଗାଇ ଗାଇ ଅଭୂଲା ସୁରେ ।