ତଥ୍ୟ - ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଖୋରଧା


ଓଡିଶାର ପରିଚୟ କହିଲେ ଜଗନ୍ନାଥ ସଂସ୍କୃତି । ପ୍ରତ୍ୟେକ ଓଡିଆର ପ୍ରାଣବିନ୍ଦୁ କେବଳ ନିରାକାର ପରଂବ୍ରହ୍ମ ଆରାଧ୍ୟ ଶ୍ରୀଜଗନ୍ନାଥ । ଯୁଗେ ଯୁଗେ ଭକ୍ତ ପାଇଁ ସେ ସମର୍ପିତ । ଓଡିଶାର ପୁରୀ ଜିଲ୍ଲା ଅନ୍ତର୍ଗତ ଏକ ନିପଟ ମଫସଲୀ ଗାଁ ଟିଏ ହେଉଛି ବାଲିଗାଁ । ମନୁଷ୍ୟକୃତ ଜାତିଭେଦର ଅସ୍ପୃଶ୍ୟତାରେ ଜନ୍ମିତ ଦାସିଆ ବାଉରୀର ଗାଁ ।  ଯେ ଥିଲେ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ । ତାଙ୍କ ଭକ୍ତିର ଉତ୍କର୍ଷତାରେ ପ୍ରୀତ ହୋଇ ସ୍ଵୟଂ ଶ୍ରୀଜଗନ୍ନାଥ ନିଜେ ହାତ ବଢେଇ ନେଇ ଯାଇଥିଲେ ଦାସିଆ ବାଉରୀ ହାତରୁ ନଡିଆଟିଏ । ଭକ୍ତିର ଚରମ ନିଦର୍ଶନ ସ୍ୱରୂପ ବାଲିଗାଁ ଦାସିଆ ବାଉରୀ ପୀଠ ଆଜି ଭକ୍ତ ଓ ଭଗବାନଙ୍କ ମିଳନ ପୀଠ ରୂପେ ଜନମାନସରେ ପରିଚିତ । ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ସହାୟତାରେ ବାଲିଗାଁ ଦାସିଆ ପୀଠ ଓଡିଶାର ଧାର୍ମିକ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ହେବା ସହ ଜଗନ୍ନାଥ ସଂସ୍କୃତିର ଏକ ପବିତ୍ର ଧର୍ମକ୍ଷେତ୍ର ଭାବେ ସୁପରିଚିତ । ସେହି ସ୍ଥାନର ବିଶେଷତ୍ଵ ହେଉଛି ଶ୍ରୀଜଗନ୍ନାଥ ଆଶ୍ରିତ ମଣ୍ଡଳୀ ଦ୍ଵାରା ପ୍ରତିଷ୍ଠିତ ତୁଳସୀ ଉଦ୍ୟାନ । ୨୦୦୭ ମସିହାରୁ ପ୍ରତି ତିଥିରେ ସେହି ଉଦ୍ୟାନରୁ ଶ୍ରୀକ୍ଷେତ୍ରର ଶ୍ରୀଜଗନ୍ନାଥଙ୍କ ଲାଗି ନିମନ୍ତେ ତୁଳସୀପତ୍ର ପଠାଯାଇଥାଏ । ଶ୍ରୀଜଗନ୍ନାଥ ଆଶ୍ରିତ ମଣ୍ଡଳୀର ଭକ୍ତବୃନ୍ଦ ମାନେ ଏହି ମହାନ କାର୍ଯ୍ୟପ୍ରତି ଭକ୍ତିପୂର୍ଣ୍ଣ ହୃଦୟରେ ସଦାସର୍ବଦା ସମର୍ପିତ ।


[gallery type="square" link="none" ids="236,237,238,239,240,241"]