
ମାଗି ଆଣିଥିବା ଟିକିଏ ତିଅଣ
ଭଲ ଲାଗୁଥାଏ ସିନା
ହେଲେ ସେଥିରେ କି ମନବୋଧ ହୁଏ
ତେଣୁ ବୃଥା ଏ ଭାବନା ।।
ନିଜ ଦେହୁ ଝାଳ ବୋହି ଅର୍ଜିଥିବା
ଧନରେ କଲେ ଅୟସ
ଆତ୍ମ ତୃପ୍ତି ଦେଇଥାଏ ସେ ଜୀବନେ
ଭରୁଥାଏ ସଦା ବାସ ।।
ମାଗି ଆଣିଥିବା ତିଅଣ ସୁଡୁକେ
ଆର ଥରକୁ ନଥାଏ
ନିଜ ହାତରନ୍ଧା ତିଅଣ ସୁନ୍ଦର
ଖାଇବାରେ ମଜା ଦିଏ ।।
ମାଗିବାଠୁ ହୀନ ଦାନଠାରୁ ପୁଣ୍ୟ
ନାହିଁ ଏ ଜଗତେ ଜାଣ
ମାଗିବାନି କେବେ ଦବାକୁ ସଦାଯେ
କରିଥିବା ଆମେ ପଣ ।।
ପଡିଶା ଘରର ତିଅଣ ବାସ୍ନାରେ
ବିଭୋର ହୋଇଲେ ମନ
ବୁଝେଇ ଦେବା ସେ ମନକୁ ମନେଇ
କରିଲେ ପାଇବୁ ଧନ ।।
ପର ଜିନିଷରେ ବଡିମା ଦେଖେଇ
ଲୋକହସା ସିନା ସାର
ନିଜ ସ୍ବାଭିମାନ ଜୀବନରେ ବଡ
ଭୂଲିବାନି ସେଇ ସ୍ବର ।।
ହାସ୍ୟମୟୀ ରାଜ୍
ଓରାଳି, ହାଟଡିହି, କେନ୍ଦୁଝର