ଆସିଲି ବୁଲି ବୁଲି ଦେଖିଲି
ଗାଆଁଟା ସାରା ଖେଦି
ପାଇଲି ନାହିଁ ଗାଆଁରେ କାହିଁ
ଗୋସେଇଁ ଘର ଗାଦି l
କକା, ମଉସା ଦାଦା, ପିଉସା
ଶୁଣିଲିନାହିଁ ଜମା
ସବୁଠି ଖାଲି ଅଙ୍କଲ ବୋଲି
ବୋଉ ବଦଳେ ମାମା l
ଦେଖିଲି ନାହିଁ କେଉଁଠି କାହିଁ
ବୋଉର କୋଳ କାଖ
ଧାଇ ମାଉସୀ ଦିଏ ଆଉଁସି
ସପନ ବୋଉ ସୁଖ l
କୋଇଲି, କୁଆ ଘରଚଟିଆ
ବାଇଚଢେଇ ବସା
କପୋତ, ଶୁଆ, କୁମ୍ଭାଟୁଆ
ନାହିଁ ଝଡ଼ିବରଷା l
ଚାଳେ କୁକ୍କୁଟ ଟେକି ମକୁଟ
କକକ କକ କକ
ଘରଚଟିଆ ଛାଡ଼ି ଦୁନିଆ
ଗଲେ କେଉଁ ମୂଳକ l
ହଳ ଲଙ୍ଗଳ ବାରି ଫସଲ
କେଉଁଠି ଦେଖୁନାହିଁ
ଚଷା ମଉସା ଛାଡ଼ି ବେଉସା
ଦାଦନ ଗଲା ଯହିଁ l
ଧୋତି ଗାମୁଛା କାଣିଆ କଛା
ପଗଡି ଦେଖୁନାହିଁ
ବୁଢ଼ା, ଯୁବକ ଅଧା ପୋଷାକ
ସଅକ ଗଲା ହୋଇ l
ସିମେଣ୍ଟ ପଥ ଗାଆଁଟା ଯାକ
ମାଟିଧୂଳି ତ ନାହିଁ
ବାଳଗୋପାଳ ତା' ବାଲ୍ୟଖେଳ
ଖେଳିବ ଆଉ କାହିଁ? I
କାଗଜ ନାଆ ହଜିଲା ଆହା
ନାହିଁ ଜୀବନ ଧାରା
ସାଧବବୋହୂ ଦେଖୁନି ଆଉ
ଗାଆଁ ପଡ଼ିଆ ସାରା l
ଗାଆଁ କନିଆ ହୋଇଲେ ବାହା
ନାହିଁ କାନ୍ଦଣା ସ୍ବର
କନିଆ ଦେଖା ଜୁଆଇଁ ଡକା
ନାହିଁ ଆଉ ସେ କାଳ l
ଘୋରଣା, ଶିଳ ସ୍ନାନ ପଥର
ପେଷଣା,ମାଟି ହାଣ୍ଡି
ଡାଲା, ଚାଙ୍ଗଡ଼l ଗଉଣି, ଅଡ଼ା
ଓଜନ, ପଳା, ଦଣ୍ଡି l
ବାଇ ଚଢେଇ ଆ ତୁ ଓହ୍ଲେଇ
ମାଆ ଡାକୁନି ଆ...ଆ...
ଖେଳିବୁ ଖେଳ ହୋଇଲେ ବେଳ
ଦୁଧ ପିଇକି ଯାଆ l
ଧୋଅ ବାଇଆ ଧାନ ମାଣ୍ଡିଆ
ଭାଇ ଭଉଣୀ ଗେଲ
ରଜ ପରବ ପିଠା ଦରବ
ଝୁଲୁରେ ହାତୀ ଝୁଲ l
ପୋଖରୀ ଡିଆଁ ପିଜୁଳି ଖିଆ
ବାଙ୍କ ବାଡ଼ିରେ ପଶି
ନାହିଁ ମାଙ୍କଡ଼ ନାହିଁ କାଙ୍କଡ଼
ହନୁ ଖାଇବ ଆସି !! I
ଶାଗ, ପଖାଳ ପାତୁଆ ଝୋଳ
କାକୁଡ଼ି, ମୂଳା, ଲଙ୍କା
ପୁଣି ଦୋଅଡ଼ା ଶାଗ ଖରଡ଼ା
ଭୋଜନେ ମୁହଁ ବଙ୍କା l
ବଡ଼ପାରି, ଟାଙ୍ଗି, ଖୋରଧା
0 Comments
You can write now your valuable comments here. Off-topic comments may be removed or deleted without prior notice.