
ତୁମେ ଯେବେ ମନେ ପଡ
କାହିଁକି କେଜାଣି
ଉଜାଣି ବହେ ଯମୁନା
ଈପ୍ସା ସବୁ ହୁଅନ୍ତି ଆନମନା
ବିସ୍ମରି ଦିଅନ୍ତି ନିଜ ନିଜର ଠିକଣା ।
ତୁମେ ଯେବେ ମନେ ପଡ
ମନର ନନ୍ଦନକାନନେ ପ୍ରସ୍ଫୁଟିତ ପାରିଜାତ
ସୁନୀଳ ଆକାଶେ କୋଟି କୋଟି ତାରା ଯେ ଖଚିତ
ରୂପେଲି ଜୋଛନା ବୁଣେ ପ୍ରୀତିର ବାରତା
ତନୁ, ମନ, ହୃଦ ଛୁଇଁ କହେ କେତେ କଥା।
ତୁମେ ଯେବେ ମନେ ପଡ
ଭାଙ୍ଗିଯାଏ ସବୁ ନୀରବତା
ନିର୍ନିମେଷ ନୟନରେ
ସ୍ଵପ୍ନ ଆସି ମୁଦେ ଆଖିପତା
ଗୁଞ୍ଜରିତ କର୍ଣ୍ଣ ପାଶେ ଶୁଭେ ତୁମ ପ୍ରୀତି ଗାଥା।
ତୁମେ ଯେବେ ମନେ ପଡ
ଶର୍ବରୀ ବି ଲାଗେ ଅହ୍ନ
ଅୟୁତ ଆଶା ସଞ୍ଚରେ
ଫଗୁଣ ଫଗୁଣ ଲାଗେ
ନିରୋଳା ନିଦାଘ ମଧ୍ୟାହ୍ନ।
