
ସମୟ ପାଇଲେ କବିତା ଲେଖୁଛ
ବୁଝୁ ନାହଁ ଘର କଥା
ଏଣୁ ତେଣୁ କିଛି ଲେଖି ପକାଇଲେ
ଦୂର କି ହୋଇବ ଚିନ୍ତା ll
ତେଲ ଲୁଣର ସଂସାର ଆମର
ଘରକୁ କରୁଛ ପର
ପୁଅ ଝିଅ କଥା ଥରେ ନ ବୁଝୁଛ
କବିତା ଖାଲି ନିଜର ll
ପିଲା ମାନଙ୍କର ପଢା ଦେଖୁନାହଁ
ପୁତ୍ର କନ୍ୟା ମନେ ଦୁଃଖ
ମାସିକ ଫିସ ବାନ୍ଧୁନ କାହିଁକି
ନୋଟିସରେ କିବା ସୁଖ ll
ଘରେ ପରିବା କିଛି ହେଲେ ନାହିଁ
କରିବି ରୋଷେଇ କଣ
ଭାତ ଡାଲି ଖାଲି କରି ଦେଇ ଅଛି
କିପରି ରାନ୍ଧିବି ତୁଣ ll
ଡବl ଡବି ସବୁ ଖାଲିତ ହେଲାଣି
ଗ୍ରସରି ଯାଇଛି ସରି
କବିତା ଲେଖିଲେ ପେଟ କି ପୁରିବ
ବାକି କାମ ଦିଅ ସାରି ll
ଆଣ୍ଠୁ ଗଣ୍ଠି ବାତ ଶାଶୁ ମାଆଙ୍କର
ଔଷଧ ସରି ଯାଇଛି
ଶଶୁର ଚଷମା ଭାଙ୍ଗି ଯାଇ ଅଛି
ଆଖିକୁ ଦିଶୁନି କିଛି ll
ଇଲେକଟ୍ରି ବିଲ ବାନ୍ଧୁନ କାହିଁକି
ଲାଇନ ଟା କଟି ଯିବ
କେବୁଲ ଵାଲା ଆଜି ବିଲ ଦେଇଛି
ତା ପଇସା ଦେଇ ଦେବ ll
ରାଗ ଗର ଗର ହେଉ ଥିଲା ପତ୍ନୀ
କହୁ ଥିଲା ଏଣୁ ତେଣୁ
ହସି ଦେଇ ଟିକେ କହିଲି ସଖୀ ଗୋ
ପୋଛି ଦିଅ ରାଗ ମନୁ ll
ଆଜି ସାରି ଦେବି ବାକି କାମ ସବୁ
ଲେଖିବି କବିତା ପରେ
ତାଲିକା ଟିଏ ତ ଲେଖି କରି ଦିଅ
ଆବଶ୍ୟକ ଥିବ ଯାରେ ll
