ଗୁଞ୍ଜରିତ ହେଲା ଯୁଦ୍ଧମ ଦେହି ଯୁଦ୍ଧମ ଦେହି
ଥରିଗଲା ଧ୍ୱନିକୁ ଶୁଣି ଏ ସସାଗରା ମହି
ହସି ହସି ଯଦି କିଏ ଯୁଦ୍ଧକୁ ଆମନ୍ତ୍ରଣ ଦିଏ
ଅନ୍ଧକାରରେ ରକ୍ତପାତର ସୁଅ ଛୁଟାଏ ।।0।।

ଖେଳିଯାଏ ସେଠି ମୃତ୍ୟୁର ବିଭୀଷିକା
କମ୍ପିଉଠେ ମେଦିନି ଭେଦିବାକୁ କ୍ରନ୍ଦନର ସୀମାରେଖା
କେବେ ବନ୍ଧାହୁଏ କାହା ମୁଣ୍ଡରେ ପଗଡ଼ି
ଭାଙ୍ଗିଯାଏ ଆଉ କାହା ହାତୁ ଚୁଡ଼ି।।୧।।

ମୃତ୍ୟୁ ପୂର୍ବରୁ ମିଳେ ଗୋଟିଏ ସୁଯୋଗ
କର୍ମ ନିର୍ଣ୍ଣୟ କରେ ଭାଗ୍ୟ ଅବା ଦୁର୍ଭାଗ୍ୟ
ଯେବେ ଅଭିମାନ ଅହଂକାର ହୁଅନ୍ତି ମିତ୍ର
କେ କଳି ପାରିବ ମଣିଷ ଆମେ ମାତ୍ର ।।୨।।

ନଷ୍ଟ ହୋଇଯାଉ ପଛେ ଜୀବନ ଯାକର ସଞ୍ଚୟ
ଫେରିବିନି କେବେ ହୋଇଯିବି ପଛେ ବିଲୟ
ମାନବିକତାର ମହତ୍ତ୍ୱ ଖୋଜନ୍ତିନି ଏଠି
ନୃଶଂସତା ଟପିଯାଏ ନିର୍ବଳୁଆ ଯେଉଁଠି ।।୩।


ରଚନା : ରାକେଶ ସାହୁ

ଠିକଣା : ଭୁବନେଶ୍ୱର,  ଦୂରଭାଷ :