କବିତା - ଚେତନାର ଜାଗ୍ରତେ ଜ୍ଞାନର ସତ୍ତା - ବିଷ୍ଣୁ ପ୍ରସାଦ ମିଶ୍ର

0

ଜଡ଼ ସ୍ପର୍ଶୀ ଚେତ୍ଯ ଚେତନା ଜାଗ୍ରତ
ଜାଗ୍ରତେ ପ୍ରତୀତ ଜ୍ଞାନ ସଂଚାର,
ଜ୍ଞାନ ରୁ ଜୀବନ ଜୀବନରେ ଜନ
ଜନ୍ମିତ ହୁଅଇ ଏହି ସଂସାର.
ଜନ ମାନସର ଉତ୍କୃଷ୍ଟ ସାଧନା
ସାଧିତ ବଳରେ ସଂସାର ସ୍ଥିତି,
ସଂସାରେ ସଂସ୍କାର ସଞ୍ଚାର ସାଧନେ
ସଂସ୍କୃତି ପ୍ରକୃତି ସ୍ଥିତି ଉତ୍ପତ୍ତି.
ଉତ୍ପତ୍ତି ରୁ ଲୟ ଲୟରୁ ଲାଭାଂଶ
ଲାଭରେ ଲକ୍ଷ୍ୟର ବିଜୟୀ ହୁଏ,
ସେହି ବିଜୟର ନିଦର୍ଶନ ଲାଗି
ଜ୍ଞାନ ଆହରଣେ ଚେତନା ଦିଏ.
ସଚେତନତାରେ ଜ୍ଞାନଜ୍ଯୋତି ପ୍ରାପ୍ତ
ଜ୍ଞାନର ବିକାଶେ ବିଜ୍ଞାନ ସତ୍ତା,
ବିଜ୍ଞାନର ବଳେ ସୁକ୍ଷ୍ମ କଉଶଳେ
ସତ୍ତାର ସତ୍ଯତା ପ୍ରମାଣେ ଚିନ୍ତା.
ଚେତନା ମୋହରେ ବିଜ୍ଞାନ ଲୟରେ
ଅଧିକ ଜ୍ଞାନର ବିକାଶ ନେଇ,
ଅନାଦି କାଳରୁ ପ୍ରକଟିତ ତଥ୍ୟ
ସଂଗ୍ରହ କରିବା ଲକ୍ଷ୍ୟ ଆଶାୟୀ.
ଯେଉଁ ବିଜ୍ଞାନର ଜ୍ଞାନ ସୃଷ୍ଟିକର୍ତ୍ତା
ଅନନ୍ତ ଶକ୍ତିର ପ୍ରତୀକ ରୂପୀ
ସେଇ ଅନନ୍ତର ଅର୍ଥ ବିଶ୍ଳେଷଣେ
ବିଜ୍ଞାନ ଜ୍ଞାନରେ ଜ୍ଞାନୀଏ ପାପୀ.
ସୃଷ୍ଟି ସର୍ଜନାର ନିୟନ୍ତ୍ରଣ ଧାର୍ଯ୍ୟେ
ବିଜ୍ଞ ଚେତନାର ସଫଳ କାହିଁ,
ସେହି ବିଫଳର ବିସ୍ତୃତ ପ୍ରମାଣ
ଭିନ୍ନ ପରିଚୟେ ବିଜ୍ଞାନ ଦାୟୀ.
ବିଜ୍ଞାନ ସହିତ ସଦଜ୍ଞାନ ଲାଭେ
ଅଜ୍ଞାନ ଅନ୍ଧାର ଆଲୁଅ ମିଳେ,
ସଦଜ୍ଞାନ ରଖ ବିଜ୍ଞାନ ପରଖ
ଚୀରଞ୍ଜୀବି ହେବ ମହି ମଣ୍ଡଳେ.
ସଂସ୍କୃତି ନଛାଡ଼ି ସଂସ୍କାରକୁ ଗଢ଼ି
ବିକାର ସ୍ବଭାବ ମନରୁ ଛାଡ଼,
ସଦ୍ଭାବ ଜାଗ୍ରତେ ଜିଣିବା ଜଗତ
ଜାଗ୍ରତ ଚେତନା ନୋହିବ ଜଡ଼.


ରଚନା : ବିଷ୍ଣୁ ପ୍ରସାଦ ମିଶ୍ର

ଠିକଣା : ରଥଶର୍ମା କଲୋନୀ, କୋରାପୁଟ,   ଦୂରଭାଷ : 9124049129

Post a Comment

0Comments
Post a Comment (0)