ଶୁଖିଲା ପତର ପ୍ରାୟ ଏ ଜୀବନ
କେତେ କାଳ ନାହିଁ ଜଣା
ମାୟାରେ ଆଚ୍ଛନ୍ନ ହୋଇରେ ମନୁଆ
ମିଛେ ହେଉ ବାଟ ବଣା ୲୲

ମରଣ ଖେଳୁଛି ପ୍ରତି ମୁହୂର୍ତ୍ତରେ
ଏ ଧରାରେ ଲୁଚକାଳି
ସେ କାଳ କରାଳେ ପଡ଼ିଯିବୁ ଧରା
ଆସିଗଲେ ତୋର ପାଳି ୲୲

ବେଳ ବୁଡିଗଲେ ଜୀବନର ସୂର୍ଯ୍ୟ
ଅସ୍ତାଚଳେ ଡୁବି ଯିବ
ଖେଳ ସରିଗଲେ ପଞ୍ଚ ମହା ଭୂତେ
ଆତ୍ମାର ବିଲୀନ ହେବ ୲୲

କ୍ଷଣିକ ସୁଖରେ ଭାବପ୍ରବଣରେ
ବାଟ ହୁଡୁ ସଦା ତୁହି
ଭଲମନ୍ଦ ପାପ ପୁଣ୍ୟର ବିଚାର
ଚିନ୍ତନରେ ତୋ'ର ନାହିଁ ୲୲

ବିଭୁ ନାମ ଦିନେ ନ ଭଜୁ ମୁଖରେ
ଧନ ଗର୍ବେ ମତ୍ତ ହୋଇ
ଧନ ଯଉବନ କେତେ କାଳ ଅବା
ଜାଣି ନାହୁଁ କିବା ତୁହି ୲୲

ମୋର ମୋର ବୋଲି ଯାହା ତୁ ଆବୋରୁ
ସବୁ ହେବ ଦିନେ ମିଛ
ଧର୍ମ ବଳ ଏକା ତୋ' ଶେଷ ସମ୍ବଳ
ଆଉ ସବୁ ଏଠି ତୁଚ୍ଛ ୲୲

ବେଳ ହୁଁ ରେ ମନ ହୋଇ ସାବଧାନ
ଧର୍ମ ବଳ କର ଠୁଳ
ଗଡ଼ି ଗଲେ ବେଳ ଜୀବନଟା କାଳ
ନ ପାଇବୁ ଥଳକୂଳ ୲୲

ବୁଦ୍ଧିକୁ ଖଟାଇ ବିବେକ ଜୁଟାଇ
କରି ଯା'ରେ ସବୁ କାମ
ସୁସ୍ଥ ଚିନ୍ତାଧାରା ଅମୃତ ଚିନ୍ତନେ
ଜୀବନଟା ସର୍ବୋତ୍ତମ ୲୲


ରଚନା : ସଂଯୁକ୍ତା ରାଉତ

ଠିକଣା : ଜୟପୁର, କୋରାପୁଟ,   ଦୂରଭାଷ :