ଅଗ୍ନି ଆଉ ବାୟୁ   ନିଜକୁ ଭାବିଲେ
        ସବୁଠାରୁ ବଳବାନ୍ 
ଗର୍ବ ଅହଂକାରେ   ନମାନି କାହାକୁ
       କହିଲେ ଆମ୍ଭେ ମହାନ୍  ।।୧।।

ବସିଥିଲେ ଦିନେ  ଦେବତାମାନେ ଯେ
       ଇନ୍ଦ୍ରଙ୍କ ଦରବାରରେ
ନିଜଗୁଣ କଥା   ବଖାଣିଲା ବେଳେ
       ବ୍ରହ୍ମ ଶୁଣୁଥିଲେ ଦୂରେ  ।।୨।।

ଭାବିଲେ ମନରେ   ଏମାନଙ୍କ ଗର୍ବ
         କିପରି କରିବି ହତ
ସଭାସ୍ଥଳ ଠାରୁ   ଅଳ୍ପ ଦୂରେ ରହି
      ଜ୍ଯୋତି ରୂପେ ଆର୍ବିଭୂତ  ।।୩।।

ଦେବରାଜ ଇନ୍ଦ୍ର    ଅଗ୍ନିଙ୍କୁ କହିଲେ
     ଦେଖିଆସ ଜ୍ଯୋତି କିଏ
ଆଦେଶ ପାଇଣ   ଅଗ୍ନି ଦେବତା ଯେ
        ଦେଖିବାକୁ ଚାଲିଯାଏ  ।।୪।।

ଏକାଳେ ଶୁଭିଲା   ତୁମେ ଅଟ କିଏ
        କି ଅଛି ଶକ୍ତି ସାମର୍ଥ
ଅଗ୍ନି ଦେବତା ମୁଁ    ମହା ଶକ୍ତିମାନ
        କ୍ଷଣକେ ଭସ୍ମେ ସମର୍ଥ  ।।୫।।

ନିଜ ଶକ୍ତି ନେଇ   କରୁଅଛୁ ଗର୍ବ
       ଏଇ ମୋର ବାକ୍ଯ ନିଅ
 ପଡିଥିବା ଖଣ୍ଡେ   ଶୁଖିଲା କୁଟାକୁ
         ପୋଡି ଭସ୍ମ କରିଦିଅ  ।।୬।।

ଶତ ଚେଷ୍ଟା କରି   ପାରିଲାନି ପୋଡି
        ଶୁଖିଲା କୁଟା ଖଣ୍ଡକୁ
ଲଜ୍ଜାବୋଧ କରି   ମଥାନତ କରି
        ଫେରିଲା ଇନ୍ଦ୍ର ପାଖକୁ  ।।୭।।

ପାରିଲାନି ଜାଣି   କିଏ ସେହି ଜ୍ଯୋତି
        ମୋଠାରୁ କେ ପରାକ୍ରମୀ
ହାର ମାନିବାକୁ   ବାଧ୍ୟହେଲି ମୁହିଁ
        କିଏ ସେହି ଅନ୍ତର୍ଯ୍ୟାମୀ  ।।୮।।

ଡକାଇଲେ ଇନ୍ଦ୍ର   ବାୟୁ ଦେବତାଙ୍କୁ
       ଦେଖିଆସ ତୁମେ ଯାଇ
କିଏ ସେହି ଜ୍ଯୋତି   ଏତେ ଶକ୍ତିମାନ
       ରହିଛି ସେ ଠିଆ ହୋଇ  ।।୯।।

ସର୍ବ ଶକ୍ତିମାନ  ବାୟୁ ଦେଵତା ଯେ
         ଆନନ୍ଦରେ ଧାଇଁ ଗଲେ
କିଏ ତୁମେ ଜ୍ଯୋତି  କହିଦିଅ ଥରେ
      ହେବକି ମୋ ସମତୁଲେ  ।।୧୦।।

ଆରେରେ ପାମର   ଏତେ ଗର୍ବ ତୋର
         ମୋ ସଙ୍ଗେ ବାଜି ଲଗାଅ
ତଳେ ପଡିଥିବା   କୁଟା ଖଣ୍ଡଟିକୁ
        ଉଡାଇ ଦେଖାଇ ଦିଅ  ।।୧୧।।

ପାରିଲାନି ବାୟୁ    କୁଟା ଖଣ୍ଡଟିକୁ
        ଅନ୍ଯତ୍ର ଫିଙ୍ଗି ଦେବାକୁ
ଅପମାନ ପାଇ   ବାୟୁ ଦେବତା ଯେ
         ଫେରିଲା ଇନ୍ଦ୍ର ପାଖକୁ  ।।୧୨।।

ଦରବାର ମଧ୍ଯେ    ଦେବତାଙ୍କ ମନେ
     ଆଲୋଚନା କେତେ ହେଲା
କିଏ ସେହି ଜ୍ଯୋତି   ସର୍ବ ଶକ୍ତିମାନ
     କେଉଁଠାରୁ ସେ ଆସିଲା  ।।୧୩।।

କଲେ ଅନୁରୋଧ   ଇନ୍ଦ୍ର ଦେବତାଙ୍କୁ
        ବୁଝିଆସ ନିଜେ ଯାଇ
ଅପମାନ ପାଇ    ଗର୍ବ ଅହଂକାର
        ମନରୁ ଗଲା ଉଭେଇ  ।।୧୪।।

ଇନ୍ଦ୍ରଦେବ ଯାଇ   ଠିଆ ହୋଇ ସେଠି
      ଭାବୁଥାନ୍ତି ମନେ ମନେ
କିଏ ସେହି ଜ୍ଯୋତି  ଦେଖାଦିଅ ମୋତେ
       ଦେଖିବି ଦୁଇ ନୟନେ  ।।୧୫।।

ଏ ସମୟେ ଶକ୍ତି    ସ୍ବରୂପିଣୀ ମାଆ
          ଜଗଦମ୍ଵା ଆର୍ବିଭୂତା
ଏଠି ଯେଉଁ ଜ୍ଯୋତି   ଦେଖା
 ଦେଉଥିଲେ
          କହିବେକି ମୋତେ ମାତା  ।।୧୬।।

ଅଗ୍ନି ଆଉ ବାୟୁ     ଦେବତାଙ୍କ ଶକ୍ତି
        ତା' ଆଗେ ହାର ମାନିଛି
ଶୁଣି ଜଗଦମ୍ବା    କହିଲେ ରେ ଇନ୍ଦ୍ର
       ଶୁଣିବାକୁ ଧୈର୍ଯ୍ୟ ଅଛି  ।।୧୭।।

ସେ ଅଟନ୍ତି ବ୍ରହ୍ମ  ମୁଁ ତାଙ୍କରି ଶକ୍ତି
     ଦୁହେଁ ଏକ ଓ ଅଭିନ୍ନ
ସକଳ ଶକ୍ତିର     ଆଧାର ତ ଆମେ
      କେ ନୁହେଁ ଆମଠୁ ଭିନ୍ନ  ।।୧୮

ତୁମେପରା ସବୁ     ଆମରି ଶକ୍ତିରେ
        ହୋଇଅଛ ଶକ୍ତିମାନ
ଗର୍ବ ଅହଂକାର   ଭାଙ୍ଗି ହେଲା ଚୂର୍ଣ୍ଣ
         ପାଇଗଲ ଅପମାନ  ।।୧୯।।

ଏହାକହି ଦେବୀ    ହେଲେ ଅନ୍ତର୍ଦ୍ଧାନ
          ପରଖିକି ଦେବତାଙ୍କୁ
ଇନ୍ଦ୍ର ଦେବତା ଯେ   ହୋଇ ଆଚମ୍ବିତ
            ପ୍ରଣାମ କଲେ ତାହାଙ୍କୁ  ।।୨୦।।

ସେହି ଦିନ ଠାରୁ     ଦେବତାମାନଙ୍କ
         ଗର୍ବ ଯେ ଚୂର୍ଣ୍ଣ ହୋଇଲା
ଅହଂକାର ତାଙ୍କ   ହେଲା ଦୂରୀଭୂତ
          ତ୍ରିପୁର ଧନ୍ଯ କହିଲା  ।।୨୧।।


ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦