ଉତ୍ତୁଙ୍ଗ ଶୈଳ ଶିଖର,
ଶତଧା ଖଣ୍ଡିତ ପଥ କଙ୍କରିତ
ଶୋଭା ହୁଏ ମନୋହର,
କିଛି ବି ଏମିତି ଦୃଶ୍ୟରାଜି ଦେଖି
ଭୁଲେ ନାହିଁ ମନ ମୋର,
ଖାଲି ଭାବିଚାଲେ ଆକାଶ କୋଳରେ
ନଗଣ୍ୟ ସତ୍ତାଟି ମୋର
ସାଗର ବେଳାରେ ବୁଲୁଥାଏ ଯେବେ
ଆନନ୍ଦେ ବିଭୋର ହୋଇ,
ଉର୍ମି ଗହଣରେ ବାଲୁକା ଶେଯଟା
ପାଦ ତଳୁ ଯାଏ ଧୋଇ,
ତଥାପି ଏ ମନ ବେଳା ପରେ ବେଳା
ଚାଲିଥାଏ ଅତିକ୍ରମି,
ଅସୀମ ସାଗର ପାଖେ ମୋର ସ୍ଥିତି
ବାର ବାର ତୁଚ୍ଛ ମଣି !!
ଧାଏଁ ମନ୍ଦିରକୁ ଦିଅଁ ଦରଶନେ
ଭକ୍ତି ଅର୍ଘ୍ୟ ଢାଳି ଦିଏ,
ଅନ୍ତରେ ସାଇତା କାହିଁ କେତେ କଥା
କହିବାକୁ ଭୁଲି ଯାଏ ।
ସାରା ବ୍ରହ୍ମାଣ୍ଡର ସ୍ରଷ୍ଟା ଯେ ଈଶ୍ୱର
କେତେ ତାଙ୍କ ବିଶାଳତା,
ଭୁଲି ଯାଏ ଅହଂ ହଜିଯାଏ ସ୍ଥିତି
ନଇଁ ଯାଉଥାଏ ମଥା ।
ଶଇଳ ଶିଖର ମହୋଦଧି ତୀର
ଅବା ଦେବତା ମନ୍ଦିର,
ସତ୍ତା ହଜିବାଟା ଏକକ ଆନନ୍ଦ
ଦେଉଥାଏ ବାର ବାର ॥
0 Comments
You can write now your valuable comments here. Off-topic comments may be removed or deleted without prior notice.