ଦୁଃଖ ସୁଖ ମିଶା ପୁରୁଣା ବର୍ଷକୁ
ସରାଗେ ବିଦାୟ ଦେଇ
ଆଶା ଆକାଂକ୍ଷାର ପାରିଜାତ ଧରି
ନବ ବର୍ଷ ଆସେ ଧାଇଁ।(୧)
ଶୀତୁଆ ପାଗକୁ ଉଷୁମ ମନଟା
ଖୋଜେ ବସନ୍ତ ମଳୟ
ବିଶ୍ୱାସ ତୂଳୀରେ ଭରସା ରଙ୍ଗରେ
ଆଙ୍କେ ଯୋଜନା ବଳୟ।(୨)
ହୃଦୟ  ସୂଚୀରେ ଖଞ୍ଜି ଶୁଭକର୍ମ
ଆଗ୍ରହର ଦୀପ ଜାଳି
ଦୃଢ଼ ମନେ ଚିନ୍ତେ ହେବାକୁ ସଫଳ
ମାରି ପ୍ରତିଜ୍ଞାର ତାଳି।(୩)
ସଂସ୍କାର ସୀମାରେ ଶୃଙ୍ଖଳା ପ୍ରହରୀ
ଜଗିବେ ନିଷ୍ଠା ତ୍ୟାଗରେ
ହିଂସା ଦ୍ୱେଷ ଛଳ କପଟ ଶତ୍ରୁଙ୍କୁ
ହଟାଇବେ ପ୍ରେମ ଧାରେ।(୪)
ଗୁରୁ ପିତା ମାତା ଅତିଥି ଦେବଙ୍କୁ
ଅରପି ଶ୍ରେଷ୍ଠ ଆସନ
ଦୁଃଖୀଙ୍କ ଆଖିରୁ ପୋଛି ଲୁହ ଧାର
ମାରିବେ ଶାନ୍ତି ଚୁମ୍ବନ।(୫)
ମା ମାଟି ମାନ ରଖିବା ପାଇଁ ସେ
ଜାଳି ଜାତି ପ୍ରେମ ବହ୍ନି
ଆହୁତି ଦେବ ସେ ନିଜର ସ୍ୱାର୍ଥକୁ
ସାଜି ଶିଷ୍ଟ ସ୍ୱାଭିମାନୀ।(୬)
ଏକତା ସଦ୍ଭାବ ସାମ୍ୟ ପୁଷ୍ପ ଗୁନ୍ଥି
ଦେଇ ଶ୍ରଦ୍ଧା ପ୍ରୀତିମାଳ
ନୀତି ନିୟମର ଗଙ୍ଗା ଜଳ ସିଞ୍ଚି
ଗାଇବ ସତ୍ୟ ଗଜଲ।(୭)
ଆଚାର ବିଚାର ସଦାଚାର ଦେଇ
ଶୁଦ୍ଧ ପୂତ ସ୍ଵଚ୍ଛ ସ୍ୱରେ
ଶିଖାଇବ ନିତ୍ୟ ଦର୍ଶନ ସଂଗୀତ
ଦିନଚାର୍ଯ୍ୟା ସୁକଣ୍ଠରେ।(୮)
ଆସ ଆସ ପ୍ରିୟ ନବ ବର୍ଷ ପାଳ
ଯତ୍ନେ ଭର ଜ୍ଞାନ କୌଶଳ
ମୋ ଜନ୍ମ ଭୁଇଁକୁ ବିଶ୍ୱେ କର ଶ୍ରେଷ୍ଠ
ଉଡାଅ ଧ୍ବଜା ଚଞ୍ଚଳ।(୯)

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର