ପ୍ରାଣ ପଣେ ଚେଷ୍ଟା ପରିଧି ମାପକୁ
ବ୍ରହ୍ମାଣ୍ଡ ଆକାର ଭେଦୀ,
ବ୍ରହ୍ମ ଜିଣି ଜାତ ବ୍ରହ୍ମାଣ୍ଡେ ପ୍ରକଟ
ବିନ୍ଦୁ ବୀର୍ଯ୍ଯ ଜଳେ ଶୁଦ୍ଧି ।
ସନ୍ତରଣ କରେ ସରୋବର ବକ୍ଷେ
ପାବନ ନୀରକୁ ଭକି,
ବକ୍ରପରି ରୂପ ବ୍ରହ୍ମାଣ୍ଡ ସ୍ବରୂପ
ଚକ୍ରଧାରୀ ଚକ୍ରେ ଚକ୍ରି ।
ଗଣ୍ଡଜଳେ ରହି ସ୍ଥଳ ଖୋଜୁଥାଇ
ବରପତି ପ୍ରେମ ପାଇଁ,
ଷଡ଼ରିପୁ ନାଶି ଜାଜ୍ଜ୍ବଲ୍ଯ ପୟରେ
ମାତୃ ଜଠେ ଥିଲି କହି ।
ଦିବ୍ୟ କର୍ଣ୍ଣେ ମୋର ମନ୍ତ୍ର ଥିଲ କହି
ସାର୍ଥକ ଶରୀର ହେବ,
ଜଳ ଛାଡି ସ୍ଥଳ ଲୋଟିଲା ବେଳକୁ
ଭୁଞ୍ଜିବାକୁ ଦିଏ ରାବ ।
ସକଳ ସଜ୍ଜିତ ଢାଉଁ ଢାଉଁ ନାଦ
ତରାଟି ଖୋଲିଲା ନେତ୍ର,
ବକଳ କବଳୁ ମୁକ୍ତି ବେଳୁ ବେଳୁ
ଲୋଭ ଗୁଣ ତୁଚ୍ଛ ମାତ୍ର ।
ଈଶ୍ବର ଭକତି ନରକେ ତେଜିଲି
ଲୋଭ -ମୋହ- କ୍ରୋଧ ଗୃହେ
କଣ୍ଢେଇ ଦେଖି ମୁଁ ଭଣ୍ଡୁଆ ହୋଇଲି
ଡିଣ୍ଡିମ ବଜାଇ କହେ ।
ମୋ'ଘର ମୋ'ଦ୍ବାର ପୁଅ ଝିଅ ମୋର
ଛାତି ଫୁଲାଇଲି ଦମ୍ଭେ,
ଦମ୍ଭ ଡୋରି ଟାଣି ଠକେଇ ହେଇଛି
ପଢି ନାହିଁ ସତ୍ୟ ସ୍ତମ୍ଭେ ।
ଚାହୁଁ ଚାହୁଁ ଦିନ ସଂଧ୍ୟା କୋଳେ ଲୀନ
ମଳିନ ପ୍ରଭା ମଣ୍ଡଳ,
ତମସା ଘୋଟକି ଘରୁ ଘଉଡାଇ
ଖୋଜେ ବ୍ରହ୍ମାଣ୍ଡ ଅଞ୍ଚଳ ।
ସାବଲୀଳ ଶିଶୁ ଶରୀର ଖୋଜିଲି
ଦେଖିବି ଈଶ୍ବର ମୁଖ,
କାହିଁ କେଉଁ କାଳୁ କପଟେ କାଡିଛି
ଲୋଭ ପଛେ ପଡି ମୂର୍ଖ ।
"ମାତୃ ଜଠ ଜ୍ଞାନ ତେଜିଲି ମୋହନ"
ନର୍କପଥେ ହର୍ଷ ମନ,
ରସ ତେଜି ବଶ ହୋଇଲି ହେ ଈଶ
ରାହା ଖୋଜେ ଏ ଜୀବନ ।


ରଚନା : ଭଜରାମ ସେଠୀ

ଠିକଣା : ନିରାଳ, ଆସିକା, ଗଞ୍ଜାମ,   ଦୂରଭାଷ : 9566876504