ଅବନ୍ତୀପୁରରେ ସନ୍ଦୀପନି ମୁନି ବାସ କରୁଥିଲେ । ଜଣେ ଶିକ୍ଷକ ରୂପେ ରୂପେ ତାଙ୍କର ଖୁବ ଖ୍ଯାତି ରହିଥିଲା । ରାଜାଉଗ୍ରେସନ ନିଜର ଦୁଇ ନାତି କୃଷ୍ଣ-ବଳରାମଙ୍କୁ ସନ୍ଦୀପନି ମୁନିଙ୍କ ଆଶ୍ରମକୁ ବିଦ୍ଯାଶିକ୍ଷା ନିମନ୍ତେ ପଠାଇଲେ । ଦୁଇ ଭାଇ ସାଧାରଣ ବିଦ୍ଯାର୍ଥୀଙ୍କ ପରି ଗୁରୁ ଗୃହରେ ରହି ଅଧ୍ଯୟନ କରିବା ସଙ୍ଗେ ସଙ୍ଗେ ମୁନିଙ୍କର ପଦସେବା ଓ ଗୃହକାର୍ଯ୍ୟ ମଧ୍ଯ କରୁଥିଲେ । ବିଦ୍ଯାଶିକ୍ଷା ଶେଷ ହେବା ପରେ ଗୁରୁଦକ୍ଷିଣା ଗ୍ରହଣ କରିବା ପାଇଁ ସେମାନେ ସନ୍ଦୀପନି ମୁନିଙ୍କୁ ଅନୁରୋଧ କଲେ ।
        ଗୁରୁଦକ୍ଷିଣା କଅଣ ମାଗିବେ ସନ୍ଦୀପନି ମୁନି ? ସାକ୍ଷାତ ଭଗବାନ ଯେ ତାଙ୍କ ଗୃହକୁ ଆସି ତାଙ୍କ ନିକଟରୁ ବିଦ୍ଯାଶିକ୍ଷା ଲାଭ କରିଛନ୍ତି, ଏହା ହିଁ ତାଙ୍କର ପରମ ସୌଭାଗ୍ୟ । ସେ ଦକ୍ଷିଣା ମାଗିବେ କଅଣ ? ତେବେ ତାଙ୍କ ମନରେ ବହୁ କାଳରୁ ଏକ ଦୁଃଖ ବସା ବାନ୍ଧି ରହିଥିଲା । ତାହା ହେଉଛି ତାଙ୍କ ଶିଶୁପୁତ୍ରର ଅକାଳ ମୃତ୍ୟୁ । ସେ ପ୍ରଭାସତୀର୍ଥକୁ ଯାଇଥିବା ସମୟରେ ସମୁଦ୍ର ଜଳରେ ଭାସି ଯାଇ ପ୍ରାଣ ହରାଇଥିଲା । ସେହି କାଳରୁ ସେ ପୁତ୍ର ଶୋକରେ ରହିଥିଲେ । ତାଙ୍କର ଶିଷ୍ଯ ଯଦି ସ୍ବୟଂ ଭଗବାନ, ତାହେଲେ ତାଙ୍କର ପୁତ୍ରକୁ ତାଙ୍କ ହାତରେ ଟେକି ଦେଇ ଦୁଃଖ ଦୂର କରନ୍ତୁ । ଏହା ଭାବି ମୁନି ଏଇ ଦକ୍ଷିଣା ମାଗି ବସିଲେ । 
   ଗୁରୁଙ୍କର କାମନା ପୂରଣ କରିବା ଉଦ୍ଦେଶ୍ୟରେ କୃଷ୍ଣ ବଳରାମ ଚାଲିଲେ ପ୍ରଭାସତୀର୍ଥକୁ । ପ୍ରଭାସତୀର୍ଥ ସମୁଦ୍ର କୂଳରେ ଅବସ୍ଥିତ । ସମୁଦ୍ର ଜାଣିପାରିଲେ ଯେ ସ୍ବୟଂ ଭଗବାନ ତାଙ୍କ ନିକଟକୁ ଆସୁଛନ୍ତି । ସମୁଦ୍ର ପ୍ରଣାମ କରି ସେମାନଙ୍କ ଆଗମନର ଉଦ୍ଦେଶ୍ୟ କଅଣ ବୋଲି ଜିଜ୍ଞାସା କରିବାରୁ କୃଷ୍ଣ କହିଲେ - ହେ ସମୁଦ୍ର, ବହୁ ଦିନ ତଳେ ମୋର ଗୁରୁ ସନ୍ଦୀପନି ମୁନିଙ୍କ ପୁତ୍ରକୁ ତୁମେ ଏହି ସ୍ଥାନରେ ତୁମର ବିଶାଳ ତରଙ୍ଗରେ ଗ୍ରାସ କରିଛ । ତାକୁ ଆମ ହାତରେ ଅର୍ପଣ କରି ଦିଅ । ଏହାର ଉତ୍ତରରେ ସମୁଦ୍ର କହିଲେ, ହେ ପ୍ରଭୁ,ଆପଣଙ୍କର ଗୁରୁ ପୁତ୍ରକୁ ମୁଁ ଗ୍ରାସ କରି ନାହିଁ। ମୋ ଜଳ ମଧ୍ଯରେ ଶଙ୍ଖ ରୂପରେ ରହୁଥିବା ଏକ ଅସୁର ସେହି ବାଳକକୁ ଗ୍ରାସ କରିଥିଲା । 
   ତତକ୍ଷଣାତ ଶ୍ରୀକୃଷ୍ଣ ସମୁଦ୍ର ମଧ୍ଯରେ ପ୍ରବେଶ କରି ପଞ୍ଚଜନ ନାମକ ଅସୁରକୁ ସଂହାର କଲେ କିନ୍ତୁ ତା ପେଟ ଭିତରେ ବାଳକକୁ ପାଇଲେ ନାହିଁ । ଅସୁର ଅଙ୍ଗଜାତ ପାଞ୍ଚଜନ୍ଯ ଶଙ୍ଖକୁ ଧରି ଶ୍ରୀକୃଷ୍ଣ ଫେରିଆସିଲେ । ତାପରେ ଦୁଇ ଭାଇ ଚାଲିଲେ ଯମପୁରୀକୁ । ସେଠାରେ ପହଞ୍ଚି କୃଷ୍ଣ ପାଞ୍ଚଜନ୍ଯ ଶଙ୍ଖ ବଜାଇଲେ । ଶଙ୍ଖର ପ୍ରଚଣ୍ଡ ଧ୍ବନି ଶୁଣି ଯମରାଜ ଛୁଟି ଆସିଲେ । ଶ୍ରୀକୃଷ୍ଣଙ୍କୁ ଦେଖି ଯମରାଜ ପ୍ରଣାମ କରି କହିଲେ ପ୍ରଭୁ,ଆପଣ ସାକ୍ଷାତ ବିଷ୍ଣୁଙ୍କର ଅବତାର । ଏଠାକୁ ଆସିବାର ଅଭିପ୍ରାୟ କଅଣ କୁହନ୍ତୁ । ଭଗବାନ କହିଲେ, ମୋର ଗୁରୁପୁତ୍ରର ମୃତ୍ୟୁ ହୋଇଛି । ଆପଣ ତାକୁ ନେଇ ଆସିଛନ୍ତି । ମୋର ଆଦେଶ,ତାକୁ ଫେରାଇ ଦେବାକୁ ହେବ । ଯମରାଜ ଶ୍ରୀକୃଷ୍ଣଙ୍କର ଆଦେଶ ଶିରୋଧାର୍ଯ୍ଯ କରି ଗୁରୁପୁତ୍ରକୁ ବଞ୍ଚାଇଦେଇ ତାଙ୍କ ହାତରେ ଅର୍ପଣ କଲେ । 
   କୃଷ୍ଣ ବଳରାମ ଗୁରୁପୁତ୍ରଙ୍କୁ ସଙ୍ଗରେ ଧରି ସନ୍ଦୀପନି ମୁନିଙ୍କ ଆଶ୍ରମକୁ ଫେରିଆସି ତାଙ୍କର ପ୍ରିୟ ସନ୍ତାନକୁ ଗୁରୁଙ୍କୁ ଅର୍ପଣ କଲେ । ମୃତ ସନ୍ତାନଟିକୁ ଜୀବିତ ଫେରିପାଇ ଗୁରୁ ଓ ଗୁରୁପତ୍ନୀ ଆନନ୍ଦରେ ବିଭୋର ହୋଇଯାଇଥିଲେ । ଗୁରୁଙ୍କର ଆଶୀର୍ବାଦ ପାଇ ଦୁଇ ଭାଇ ମଥୁରାକୁ ଫେରିଆସିଲେ ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦