ପରବିନର ମନ ଏବେ ଭାରି ଖୁସି | ସେ ଗୋଟେ ନୂଆ ସାଂଗ ପାଇ ଯାଇଛି | ଅଲିଭା ତାର ନୂଆ ସାଂଗ ହୋଇଛି | ଅଲିଭା ଏବେ ପରବିନ ଘରକୁ ନୂଆ ଆସିଛି | ତାଂକ ଘରେ ତାର ବାପା,ମା ଓ ଭାଇ ସହ ରହୁଛି | ଆଗରୁ ସେମାନେ ଭଦ୍ରକରେ ରହୁଥିଲେ | କେନ୍ଦୁଝର ଆସିବା ପରେ ସେମାନେ ପରବିନ ଘରେ ଭଡା ରହୁଛନ୍ତି | ପରବିନ ଅଲିଭାକୁ ଗୀତ ଶୁଣାଏ | ଦୁହେଁ ଅନ୍ତାକ୍ଷରୀ ଖେଳନ୍ତି | ଅଲିଭାବି ପରବିନକୁ ଗପ କହେ | ଦୁହେଁ ସାଂଗ ହୋଇ ବୁଲନ୍ତି | ବାଲକୋନୀ ଉପରେ ବସି କଣ୍ଢେଇ ଖେଳନ୍ତି |

ଦିନକର କଥା | ଦୁହେଁ ଖେଳୁଥାନ୍ତି | ପିଲାଟିଏ ଆସିଲା | ଅଳିଆ ଦିଅ, ଅଳିଆ ଦିଅ କହି ଡାକ ପକାଇଲା | ଅଲିଭା, ପରବିନ ଘରକୁ ଆସିବା ଦିନ ଠାରୁ ପିଲାମାନେ ଏମିତି ଡାକ ଦେଉଥିବାର ଶୁଣେ | ପାଖ ବସତିର ପିଲାମାନେ ସକାଳୁ ଆଉ ସଞ୍ଜବେଳ ଆସନ୍ତି | ଭଡାଟିଆ ଲୋକ ମାନଂକର ଅଳିଆ ନେଇ ବାହାରେ ପକାଇ ଦିଅନ୍ତି | କିଏ ସେ ପିଲା ମାନଂକୁ ପଇସା ଦିଏ ତ ଆଉ କିଏ ରୋଟୀ ନହେଲେ ବିସ୍କୁଟ ଦେଇଦିଏ | ଅଲିଭାକୁ ଏସବୁ ଭଲ ଲାଗେନି | ପିଲାମାନେ ଅଳିଆ ନେଇ ରାସ୍ତା କଡରେ ପକାଇ ଦିଅନ୍ତି | କୁଢ଼, କୁଢ଼ ମଇଳା ରାସ୍ତାରେ ଜମା ହେଲାଣି | କେହି ତାକୁ ପୋଡୁ ନାହାନ୍ତି | ବହୁତ ଗଂଧ ହେଉଛି | 
ପରବିନ, ମୁଁ ତୁମକୁ ଗୋଟେ କଥା କହିବି -ଅଲିଭା କହିଲା |
ହଁ, କହୁନ -ପରବିନ କହିଲା |

ଅଲିଭା କହିଲା- ଜାଣିଲ ପରବିନ | ତୁମ ଘରେ ୧୨ ଟି ପରିବାର ଭଡା ରହୁଛନ୍ତି | ସମସ୍ତଂକ ଘରୁ ବହୁତ ମଇଳା ବାହାରୁଛି | ସେସବୁ ଅଳିଆକୁ ପିଲାମାନେ ନେଇ ରାସ୍ତାରେ ପକାଉଛନ୍ତି |
ଅଲିଭା କଥା ଶୁଣି ପରବିନ କହିଲା -ଆମେ କଣ କରିପାରିବା ?

ଆମେ ପାରିବା | ତୁମେ ଘରେ କୁହ ସେମାନେ ଘର ପାଖରେ ଅଳିଆ କୁଣ୍ଡ ତିଆରି କରିବେ |ସେହିଠାରେ ସମସ୍ତେ ଅଳିଆ ପକାଇବେ |ପ୍ରତି ସପ୍ତାହରେ ଆମେ ସେଠି ବାପାକୁ କହି ନିଆଁ ଲଗାଇ ଦେବା |ବାହାରେ ଆଉ ଅଳିଆ ଏଣେତେଣେ ପଡିବ ନାହିଁ |ପରବିନ ତୁମେ ତ ଜାଣିଛ, ପଲିଥିନ ମାଟିରେ ମିଶେନି |ଯଦି ଗଦା ଗଦା ପଲିଥିନ ମାଟିରେ ପଡି ରହିବ ମାଟି ଖରାପ ହେବ |ପଲିଥିନ ଖାଇ ଗାଈ ,ଷଣ୍ଢ ଓ କୁକୁର ମରୁଛନ୍ତି | ଆମେ ଯଦି ଏ କଥା ନ ବୁଝିବା ଆଉ କିଏ ବୁଝିବ ? ପରବିନ ତା ବାପାକୁ ସବୁ କଥା କହିଲା |ପିଲାମାନଂକ ମୁଂଡରେ ଏ ସବୁ କଥା ପଶୁ ଥିବାରୁ ପରବିନର ବାପା ନିଜର ଭୁଲ ବୁଝିପାରିଲେ | ଘର ଠାରୁ କିଛି ଦୂରରେ ଅଳିଆ କୁଣ୍ଡ ବସିଲା |ସମସ୍ତେ ଏବେ ସେଠି ଅଳିଆ ପକାଉଛନ୍ତି | ପରବିନର ଘରେ ଅଳିଆ କୁଣ୍ଡ ବସିବା ପରେ ପାଖ ଘରର ଲୋକ ମାନେ ଏବେ କୁଣ୍ଡ ତିଆରି କରି ସେଠି ଅଳିଆ ପକାଉଛନ୍ତି |

ରଚନା : ସନ୍ତୋଷ କୁମାର ମହାନ୍ତି.

ଠିକଣା : ନବଜୀବନ ସମାଜ, ସଫା ,କଟକ - ୭୫୪୦୨୨ ଦୂରଭାଷ : 9777766346