
ଦୁଃଖ କା'ଆଗେ କହିବ ରାତି
ଯହିଁ ସପନ କେ ନଦେଖନ୍ତି,
ଆଗେ ଦେଖୁଥିଲେ ଯେଉଁ ଜନ....
କେହି ଧରଣୀ କୋଳେ ନାହାନ୍ତି ll୧ll
ସବୁ କାଳିମାକୁ ବୋଳି ହୋଇ
ଅମା ଅନ୍ଧାରର ଭାର ବୋହି,
ରାତି ଆଜି ନିଜେ ଉଜାଗର....
ସାରା ସଂସାରକୁ ସୁଖଦେଇ ll୨ll
ମନେ କେତେ ଅସରନ୍ତି କଥା
ଆଉ ଜୀବନର ଯାହା ବ୍ୟଥା
ଏକା ଜହ୍ନକୁ ସଙ୍ଗାତ କରି.....
କେବେ କହିଦିଏ ଟେକି ମଥା ll୩ll
ଦୂର ଗଗନରୁ ଫୁଲଝରୀ
ଚାହିଁ ହସୁଛନ୍ତି କିରି କିରି
କରି କେତେ ଥଟ୍ଟା ପରିହାସ......
ଆଲୋ କିଏ କଲା ହତଶିରି ll୪ll
ଲୋକେ କଳ୍ପନା ସଉଧ ଗଢି
ମିଛ ମାରୁତେ ଗଲେଣି ଉଡି
ହାତେ ଆଉଁସି ନିଜକୁ ନିଜେ....
ବଞ୍ଚେ କର୍କଶ ପାଷାଣେ ପଡି ll୫ll
ଆଜି, ଭୀଷ୍ମ ପିତାମହ ହୋଇ
ରାତି ବିଦ୍ଧ ଶରେ ଶଯ୍ୟାଶାୟୀ
ଖାଲି ଦେଖିବାକୁ ଶେଷସୀମା.....
ଯହିଁ କୌରବେ ନଥିବ କେହି ll୬ll
ବସନ୍ତ କୁମାର ପଣ୍ଡା
ବଇଞ୍ଚା, ଇରମ, ଭଦ୍ରକ
