ପଶ୍ଚିମବଙ୍ଗର ବର୍ଦ୍ଧମାନ ଜିଲ୍ଲାରେ ଏକ ଗାଁ ଥିଲା ଯଶୋପୁର । ସେଠାରେ ଜଣେ ବ୍ରାହ୍ମଣ ରହୁଥିଲେ । ନାଁ ଥିଲା, ରବିନ୍ଦ୍ର । ତାଙ୍କର କେତେଜଣ ଯଜମାନ ଥିଲେ । ସେମାନଙ୍କ ଘରେ ପୂଜାପାଠ କରିବା ପରେ ଯାହାକିଛି ଦକ୍ଷିଣା ମିଳୁଥିଲା ସେଇଥିରେ ପରିବାରର ଭରଣ ପୋଷଣ କରୁଥିଲେ ରବିନ୍ଦ୍ର । ମାତ୍ର ଗାଁଟି ଖୁବ୍ ଛୋଟ ଥିବାରୁ ତାଙ୍କର ସେତେଟା ରୋଜଗାର ହେଉନଥିଲା । ଫଳରେ ଦିନକୁ ଦିନ ତାଙ୍କ ପାଇଁ ଅର୍ଥାଭାବ ଦେଖାଦେଲା । ପରିବାର ଚଳାଇବା କଷ୍ଟକର ହୋଇପଡିଲା । ଦିନେ ପଣ୍ଡିତ ଜଣକ ସ୍ଥିର କଲେ ଯେ ନିଜ ଇଷ୍ଟଦେବ ଭଗବାନ ଭୋଳାନାଥଙ୍କୁ ଆରାଧନା କରିବେ ଏବଂ ତାଙ୍କ ନିକଟରେ ନିଜ ସୁଖ ସମୃଦ୍ଧି ପାଇଁ ପ୍ରାର୍ଥନା କରିବେ । ସେହିଦିନ ଠାରୁ ସେ ଭଗବାନ ଶିବ ଶଙ୍କରଙ୍କ ଆରାଧନାରେ ମନୋନିବେଶ କଲେ । ତାଙ୍କ ତପସ୍ୟା ସଫଳ ହେଲା । ଥରେ ରାତିରେ ମହାଦେବ ପ୍ରକଟ ହୋଇ ରବିନ୍ଦ୍ରଙ୍କୁ କହିଲେ, ଯମୁନା ନଦୀ କୂଳରେ ସନାତନ ଗୋସ୍ୱାମୀ ରହୁଛନ୍ତି । ତୁମେ ତାଙ୍କ ପାଖକୁ ଯାଅ । ସେ ତୁମକୁ ଧନ ମିଳିବାର ରହସ୍ୟ କହିଦେବେ । ଭଗବାନ ଶିବ ରବିନ୍ଦ୍ରଙ୍କୁ ଯେଉଁ ସନ୍ଥଙ୍କ କଥା କହିଲେ ସେ ଜଣେ ପ୍ରସିଦ୍ଧ ବିଷ୍ଣୁଭକ୍ତ ଥିଲେ । ସେ ଯମୁନା କୂଳରେ ଭଗବାନ ବିଷ୍ଣୁଙ୍କ ଉପାସନା କରୁଥିଲେ । ରବୀନ୍ଦ୍ର ସେହି ସନ୍ଥଙ୍କ ନିକଟରେ ଯାଇ ପହଞ୍ଚିଲେ । ନିଜ ସ୍ବପ୍ନ ବିଷୟରେ କହିବା ସହ ସନ୍ଥ ଗୋସ୍ୱାମୀଙ୍କ ସହାୟତା ଲୋଡ଼ିଲେ । ଗୋସ୍ୱାମୀ କହିଲେ--ମୁଁ ତ ସବୁକିଛି ଛାଡି ଆସିଛି,ତୁମକୁ କ'ଣ ଦେବି । ବ୍ରାହ୍ମଣ ଜଣକ କହିଲେ, ଭୋଳାନାଥଙ୍କ ଆଜ୍ଞାରେ ମୁଁ ଆପଣଙ୍କ ନିକଟକୁ ଆସିଛି । ଯଦି ଆପଣଙ୍କ ପାଖରେ କିଛି ନ ଥାନ୍ତ ତା' ହେଲେ ଭୋଳାନାଥ ମୋତେ ଆପଣଙ୍କ ନିକଟକୁ ପଠାଇନଥାନ୍ତେ ? ସନ୍ଥ ଗୋସ୍ୱାମୀ ବହୁ ସମୟ ଧରି ଚିନ୍ତା କରିବା ପରେ ଶେଷରେ ତାଙ୍କର କିଛି କଥା ମନେ ପଡିଲା । ସେ କହିଲେ, ହଁ ମନେ ପଡିଲା ନଦୀ କୂଳରେ ମୋତେ ଗୋଟିଏ ପାରସ ମଣି ମିଳିଥିଲା । ତାହା ମୋର ଦରକାର ନଥିଲା । ଭାବିଲି ଆଉ କାହାର ଦରକାର ଥିବ । ସେଥିପାଇଁ ସେଇଟିକୁ ବାଲିରେ ପୋତି ଦେଇଥିଲି । ଚାହିଁଲେ ତୁମେ  ତାକୁ ନେଇପାର । ଏହାପରେ ଗୋସ୍ୱାମୀ କହିଥିବା ସ୍ଥାନରେ ବ୍ରାହ୍ମଣ ଜଣଙ୍କ ସେହି ପାରସ ମଣି ଖୋଜିବାକୁ ଲାଗିଲେ । କିଛି ସମୟ ପରିଶ୍ରମ କରିବା ପରେ ତାଙ୍କୁ ମୂଲ୍ୟବାନ ପାରସ ମଣିଟି ମିଳିଗଲା । ତାହାର ପରୀକ୍ଷା କରିବାକୁ ଯାଇ ବ୍ରାହ୍ମଣ ଜଣକ ନିକଟରେ ପଡିଥିବା ଲୁହାରେ ପାରସ ମଣିଟିକୁ ଛୁଆଁ ଇଦେଲେ । ସଙ୍ଗେ ସଙ୍ଗେ ଲୁହା ଖଣ୍ଡଟି ସୁନାରେ ରୂପାନ୍ତରିତ ହୋଇଗଲା । ବ୍ରାହ୍ମଣ ରବୀନ୍ଦ୍ର ଚକିତ ହୋଇଗଲା । ଭାବିଲେ,ଗୋସ୍ୱାମୀ ଏତେ ମୂଲ୍ୟବାନ ପଥର ମୋତେ କାହିଁକି ଦେଇଦେଲେ ? ଅନେକ ସମୟ ସେଠାରେ ବସି ମନେ ମନେ ଚିନ୍ତା କଲେ । କିଛି ସମୟ ପରେ ପୁଣି ଥରେ ଗୋସ୍ୱାମୀଙ୍କ ନିକଟକୁ ଫେରିଗଲେ । ଏଥର ବ୍ରାହ୍ମଣ ରବୀନ୍ଦ୍ର ସନ୍ଥ ଗୋସ୍ୱାମୀଙ୍କୁ କହିଲେ, ଆପଣ ମୋତେ ଯେଉଁ ପଥର ଦେଲେ,ସେଥିରେ ନିଶ୍ଚିତ ଭାବେ ମୋ ଦାରିଦ୍ର୍ଯ ଦୂର ହୋଇଯିବ , କିନ୍ତୁ ଏଇଟି ମୋର ଏବେ ଦରକାର ନାହିଁ । ଆପଣ ମୋତେ ସେହି ଜ୍ଞାନର କିଛି ଅଂଶ ଦିଅନ୍ତୁ, ଯେଉଁ ଜ୍ଞାନକୁ ଉପଲବ୍ଧି କରିବା ପରେ ଆପଣ ପାରସ ମଣି ଭଳି ଅମୂଲ୍ୟ ରତ୍ନକୁ ତୁଚ୍ଛ ମନେକରି ବାଲିରେ ପୋତି ଦେଇଥିଲେ । ଏତକ କହିବା ପରେ ବ୍ରାହ୍ମଣ ଜଣକ ସେହି ପଥରକୁ ନଦୀରେ ଫିଙ୍ଗି ଦେଲେ । ଏହାଦେଖି ଗୋସ୍ଵାମୀ ବ୍ରାହ୍ମଣଙ୍କୁ କୁଣ୍ଡାଇ ପକାଇଲେ ଏବଂ ଜ୍ଞାନାମୃତ ପ୍ରଦାନ କରି ତାଙ୍କ ଜୀବନ ସାର୍ଥକ କରିଦେଲେ ।

ସଂଗ୍ରାହକ - ନରେନ୍ଦ୍ର ପ୍ରାସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦