ନବାନ୍ନ ଆସର ମାଆ ଲକ୍ଷ୍ମୀଙ୍କର 
ପଶ୍ଚିମ ଉତ୍କଳେ ଖ୍ୟାତି ,
ଏ'ଗଣ ପରବ ସମୃଦ୍ଧି ବିଭବ
ଭାବ ବନ୍ଧନର ପ୍ରୀତି ! !

ମାଆ ସମଲାଇ ଭାରି କୃପାମୟୀ
ପଶ୍ଚିମେ ମଉଡ ମଣି ,
ନବାନ୍ନ ସମ୍ପଦା ମୁକ୍ତା ବିଭୁଷିତା
ଚାଷୀକୁଳ ବିଧିରାଣୀ ! !

କୃଷକର ଭୋଜ ମାଆର ବୈଦାନ୍ଯ
ଅଭୟ କୃପାର ଫଳ ,
କୃଷକ ସଂସାର ହସେ ନିରନ୍ତର
ଅଭାବେ କଟେନି କାଳ ! !

ନୂଆ ଖାଇ ପର୍ବ ସମାଜର ଗର୍ବ
ସମ୍ପର୍କରେ ସମ୍ପର୍କିତ ,
ଧନିକି ଗରିବ ସର୍ବେ ଏକାକାର
ସାଜନ୍ତି ପରାଣ ମିତ ! !

ନବ ତଣ୍ଡୁଳରେ ଅନ୍ନଭୋଗ ହୁଏ
ମନପ୍ରାଣ ମୋହି ନିଏ ,
ଭଳିଭଳି ପିଠା ଆରିସା କାକରା
କୁଳବଧୂ ଗଢିଦିଏ ! !

ନାନାଦି ବ୍ୟଞ୍ଜନ ମହୁର ବେଶର
ସବୁଜ ପରିବା ଘାଣ୍ଟ ,
ଛଅ ତିଅଣକୁ ନଅଭଜା ପୁଣି
ନବାନ୍ନ ପରଷେ ବାଣ୍ଟ ! !

ରାଗରୁଷା ଭୁଲି ସର୍ବେ ହ୍ଯୁନ୍ତି ମେଳି
ଶୁଭ ଲଗନରେ ଆସି ,
ଆନନ୍ଦ ମନରେ ଅନ୍ନ ବସନରେ
ଜାହିର କରନ୍ତି ଖୁସି ! !

ବରଷକ ଖୁସି ପାଳନ୍ତି ମନାସି
ଇଷ୍ଟ ଦେଵାଦେବୀ ସ୍ମରୀ ,
ଅନ୍ନର ପସରା ପରିପୂର୍ଣ୍ଣା ଧରା
ଅମାରରେ ଥାଉ ପୁରି ! !

ସ୍ନେହଁ ଶରଧାର ଏ'ଗଣ ପରବ
ପଶ୍ଚିମରୁ ବ୍ୟାପି ଆସୁ ,
ଉତ୍କଳ ମହିମା ପାଳୁ ଭାରତୀମା'
ଜନମନେ ସଦାଭାସୁ ! !

Writer's Details: ସଦାନନ୍ଦ ସାହୁ
ଧୁରୁଷିଆ , ଆଠଗଡ଼ , କଟକ, ଦୂରଭାଷ ସଂଖ୍ୟା - 7978517998 
Content Category:
Submission Date: Nov 12, 2019