ମହେଶ ହେ ଏବେ ବିଷମ ସମସ୍ୟା
ସଂସାର ମଧ୍ୟରେ ଦେଖ ,
ଆମ ନାମ ନେଇ ପାଖଣ୍ତ କରନ୍ତି
ଛଦ୍ମବେଶେ କିଛି ଲୋକ ।

କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହୋଇକି
ଦେଖନ୍ତି ଆପଣା ସ୍ୱାର୍ଥ ,
ନିଷ୍କପଟ ଜନ ଦେଖିକରି ପରା
ଲୁଟନ୍ତି ତାଙ୍କରି ଅର୍ଥ ।

ଆଉ କିଛି ଶଠ ବୁଝାନ୍ତି ଲୋକଙ୍କୁ
ଈଶ୍ୱର ନାହାଁନ୍ତି କେହି ,
ତୁଚ୍ଛାଟାରେ କିଆଁ ବାତୁଳ ହୋଇକି
ଡାକ ରାମ,ହରି କହି ।

ଆଖିବୁଜି ନୀଚ କରମ କରନ୍ତି
ସନ୍ଥଙ୍କୁ ଦିଅନ୍ତି ପୀଡ଼ା ,
ତାଙ୍କରି ଦୌରାତ୍ମ୍ୟ ରୋକିବାକୁ ଏବେ
ତୁମରି ସାହାଯ୍ୟ ଲୋଡ଼ା ।

ମିଳିମିଶି ଆମେ ଚଳିବା ଧରାକୁ
କରିବା ପ୍ରାଣୀଙ୍କ ହିତ ,
ଦୁଷ୍ଟ ଜନ ନାଶି ସନ୍ଥଙ୍କୁ ପାଳିବା
ସନ୍ତୋଷ ହୋଇବ ଚିତ୍ତ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।