।।# ବାଜେକଥା #।।
ଆମ ଗାଆଁ ଅର୍ଜୁନ ଗୁଡିଆ ଜଳଖିଆ ଦୋକାନ (ଯାହା ଏବେ ନାହିଁ) କଥା ବେଳେବେଳେ ମନେପଡେ । ତାଙ୍କ ଦୋକାନ କାକରା ସାଙ୍ଗକୁ ଘୁଗୁନି'ର ସ୍ବାଦ ନିଆରା ଥିଲା । କାକରା ଚାରଣା,ଘୁଗୁନି ମାଗଣା । ପିଲାବେଳେ ଗୋଟେଯୋଡେ କାକରା ସହ ଦି ତିନିଥର ଘୁଗୁନି ମାଗି ଖାଇବା ଏକରକମ ଅଭ୍ଯାସରେ ପରିଣତ ହୋଇଯାଉଥିଲା । ବୟସ ବଢିବା ସହ କିଛି ନୂଆ ଅଭ୍ୟାସ ଯୋଡି ହୋଇଯାଇଛି । ଏଇ ଯେମିତି, ବିଜୁଳି ଚାଲିଗଲେ ଝରକାଦେଇ ପଡିଶା ଘରକୁ ଚାହିଁବା ଅବା ଦିନ ହୋଇଥିଲେ ପାଟିକରି ପଚାରିବା । ପରିବା କିଣିସାରି କଞ୍ଚାଲଙ୍କା ମାଗିବା ଏବେ ମୋର ମୌଳିକ ଅଧିକାର । ଅବଶ୍ୟ ନ ମାଗିବା ପୂର୍ବରୁ ଦୋକାନୀ ଏବେ ଦେଇଦଉଛି । ଟିଭି ରିମୋଟ କାମ ନକଲେ  ବେଟେରୀ ବଦଳେଇବା କଥା ମନକୁ ଆସୁନି,ବରଂ ରିମୋଟ'କୁ ହାତରେ/ଜଙ୍ଘରେ ଦି ଚାରିଥର ବାଡଉଛି । ଦୁଆରକୁ ବିକି ଆସୁଥିବା ଶାଗ ପାଇଁ ମୂଲଚାଲ କରୁଛି , କିନ୍ତୁ ରେଷ୍ଟୁରାଣ୍ଟ ବିଲ୍ ସହିତ ଟିପ୍ସ ଦଉଚି । ଦଶଟଙ୍କାର ଗୁପଚୁପ ଖାଇସାରି ମାଗଣା ଶୁଖା ଓ ତେନ୍ତୁଳି ପାଣି ପାଇଁ ଅପେକ୍ଷା କରୁଛି । କାଁଭାଁ ଉଡାଜାହାଜରେ ଗଲେ ଅନେକଦିନ ଯାଏଁ ବ୍ଯାଗରୁ ଟ୍ଯାଗ୍'ଟା କାଢୁନି । ପର ଛିଦ୍ର ଜାଣିବାରେ/ଜଣେଇବାରେ ଢେର ଆନନ୍ଦ ପାଉଛି । ଶତ୍ରୁ'ର କଷ୍ଟ ଦେଖି ଆନଂଦିତ ହେଉଛି, ହେଲେ ମିତ୍ର'ର ସୁଖ ଦେଖିପାରୁନି । ସାଙ୍ଗମାନେ କହୁଛନ୍ତି, ମୋ ସିଲଟ ଆଉ ଆଜିକାଲି ଭଲ ଚାଲୁନି ।

  ସଲିଳ କୁମାର ସ୍ବାଇଁ,ଶିକ୍ଷକ
 ସରକାରୀ ଉ.ପ୍ରା. ବିଦ୍ୟାଳୟ
 ସୁନ୍ଦରପୁର, ଟାଂଗି, ଖୋରଧା ।