ଅପେକ୍ଷାରେ ....
ବସିଛି ନୀରବେ
ସମୟର ନଈ ଧାରେ
ସାଉଁଟୁଛି ଖାଲି, ଅନାବନା
ଅତୀତ ଦେହରୁ ମୁଠା ମୁଠା ସ୍ମୃତି,
କେତେ ରଙ୍ଗ ଛଡ଼ା
ଆଉ କେତେ ଲହୁ ଲୁହ ଜରଜର ।

ବେଳେ ବେଳେ ହାତରେ ଲାଗେ
ବାଲି ଗରଡା, ଆଞ୍ଜୁଳାରୁ ଖସିଯାଏ ଜହ୍ନ
ସ୍ମୃତି ସହ ସମ୍ପର୍କ ଛିଣ୍ଡାଇ ।
ଏମିତି ବି ହୁଏ
ରଙ୍ଗ ଛଡ଼ା ଶାମୁକା ଭିତରେ
ଠାବ ହୁଏ ମୁକ୍ତା ।
ମୁକ୍ତା ଭିତରେ ଜଳ ଜଳ
ତୁମ ମୁହଁ ଅବିକଳ ।

ଅପେକ୍ଷାର ଅନ୍ତ କେଉଁଠି,
ପଚାରିବି ଯାଇ
ପରିତ୍ୟକ୍ତ ରାସ୍ତା କଡ଼ରେ ଛିଡା
ମାଇଲ୍ ଖୁଣ୍ଟକୁ,
ସୀମାନ୍ତରେ ଯୁଦ୍ଧରତ ଯବାନଙ୍କ
ଧର୍ମପତ୍ନୀମାନଙ୍କୁ ।
ନଚେତ ଯାଇ ପଚାରିବି
ଗାଁ ମୁଣ୍ଡ ବରଗଛ ତଳ
ଫିକା ସିନ୍ଦୂର, ଗାଢ଼ ବିଶ୍ୱାସ ବୋଳା
ପଥର ରୂପା ମାଆକୁ ।

କେହି ଜଣେ କାହା ପାଇଁ
ଅପେକ୍ଷାରେ ଥାଏ ।
ଏ କଥା ଦିନେ ମୋତେ
ନଈ କହୁଥିଲା ।
ଯେମିତି ପାଣି ଧାରେ ପଡ଼ି ଥିବା ପଥର
ଅପେକ୍ଷା କରୁଥାଏ
ଆସିବ କେହି ଜଣେ
ତା ଅଳତା ମଖା ପାଦକୁ
ଘସା ମଜା କରିବ ତା ଦେହେ ।

ଅପେକ୍ଷାର ଅନ୍ତ ଆଉ
ପଥରର ଅପେକ୍ଷା ଯଦି
ସମାନ୍ତରାଳ,
ତେବେ ମିଛ ଶାମୁକା ଦେହର ମୁକ୍ତା
ଆକାଶର ଜହ୍ନ।
ଅପେକ୍ଷାର ମାନେ ଖାଲି
ଜଳିବା,
ସମୟର ନଈ ଧାରେ
ଅନ୍ଧାର ଖୋଜିବା ।।


ରଚନା : ଲକ୍ଷ୍ମୀନାରାୟଣ ସାହୁ

ଠିକଣା : ବୀରମହାରାଜପୁର,  ଦୂରଭାଷ : ୯୪୩୭୫୭୧୫୦୭