
ଆଜି ବି ସେ ସ୍ମୃତି କୁହୁଳି ଉଠଇ
ଏ ଛାତି ସ୍ପନ୍ଦନ ତଳେ
ଚଉଠି ଜହ୍ନଟା କଣେଇ ଚାହିଁଲେ
କୁଆଁସିଆ ସଞ୍ଜ ବେଳେ,
ମିଞ୍ଜି ମିଞ୍ଜି ତାରା ହାଇ ମାରୁଥିଲେ
ନିଶୁନ୍ ଆକାଶ କୋଳେ
କାହିଁକି କେଜାଣି ଅନ୍ଧାର ଢାଙ୍କି
ନିଜକୁ ନିଜେ ମୁଁ ଜାଳେ,
ପ୍ରଶ୍ନବାଚୀର ପରିସୀମା ଟପି
ଅଲଭ୍ୟ ଲଭ୍ୟର ଲାଭେ
ଉତ୍ତର ସାଉଁଟେ ଅସମାହିତର
ଯାହା ଘଟିନାହିଁ କେବେ।।