ପିଙ୍ଗଳ ପୃଥିବୀ ପରେ ଆଜି ବି ଖୋଜୁଛି ପ୍ରିୟା
ତୁମର ସେ ଦେହର ସାନିଧ୍ୟ
ସ୍ଵପ୍ନ ସବୁ ହିମହୁଏ ଆଖିର ପାଖୁଡା ତଳେ
କବିତାର ଶବ୍ଦ ସବୁ ଲାଗୁଛି ଦୁର୍ବୋଧ୍ୟ,
ଯେଉଁ ଦିନ ପିନ୍ଧିଗଲ ଘନ କୃଷ୍ଣ କବରୀରେ
ପଳାଶକୁ ଦଗ୍ଧ ଫଗୁଣରେ
କେମିତି କହିବି ? କେତେ ସ୍ୱପ୍ନ ଆସି ପୁଣି
ଯାଇଥିଲେ ରାତି ଅନ୍ଧାରରେ ?
ସମୟର ବେଦୀ ପରେ ଆଜିବି ସାଇତା
ତୁମ ସେଇ ସ୍ମୃତିର ସବାରୀ
କୁସୁମ ବିଖଣ୍ଡ କିଛି…….
ଯାହା ତୁମ ଅଜାଣତେ କବରୀରୁ ପଡିଥିଲା ଝରି,
ତୁମ ଓଦା ଚୁମ୍ବନରେ ସେଇଦିନୁ ଆଜିବି ବିଭ୍ରାନ୍ତ
ଆଉ ପୁଣି ଲାଗେ ଆନମନା
ହୁତାସ କଦମ୍ବବନୁ ଶୁଣାଯାଏ କେଉଁ ଏକ ବିରହୀର
ସୁମଧୁର ବିରହ ମୂର୍ଚ୍ଛନା,
ଆଜି ଖାଲି ଆକାଶରେ ମେଞ୍ଚା ମେଞ୍ଚା ଧୂସର ବଉଦ
ଫିକା ଜହ୍ନ ତାରାର ଆଲୁଅ
ଆଖିସାରା ସୀମାହୀନ ନିରୁକ୍ତ ନୀଳିମା
ଖଣ୍ଡିତ ଆକାଶ କ୍ରମି
ହାଇ ମାରେ ପୁଞ୍ଜିଭୂତ ଅବସାଦ ମନେ କିଛି ଖେଦ।।


ରଚନା : ତପନ ଦୀକ୍ଷିତ(ବେଳାଭୂମି)

ଠିକଣା : ନାସିକେଶ୍ୱର, କାକଟପୁର, ପୁରୀ,  ଦୂରଭାଷ : 9537400744