🌹 ସମର୍ପଣ 🌹
------------------------
ସତ୍ୟ ସୁନ୍ଦର ପରିଡ଼ା (ଶିକ୍ଷକ)
ନରସିଂହପୁର, ବନ୍ତ, ଭଦ୍ରକ

ମନର ଝରକା ଦେଇ
ଚାହେଁ ଯେବେ ଖୋଲା ଆକାଶକୁ
ପ୍ରତିବିମ୍ବିତ ହୁଏ ତୁମ ଛବି
ପ୍ରତି କୋଣେ ଅନୁକୋଣେ ,
ଜୀବନ ବେଳାଭୂମିରେ
ସ୍ୱପ୍ନର ତାଜ୍ ମହଲ ଗଢିବା ବେଳେ
କେବେ ପୁଣି ଉତ୍ତାଳ ତରଙ୍ଗରେ
ସଲିଳ ସମାଧି ଲଭେ
କ୍ଷତାକ୍ତ ହୃଦୟର ଆବେଗରେ ବି
ଖୋଜେ ତୁମରି ସତ୍ତା, ତୁମରି ସ୍ପର୍ଶ ।

ଜଞ୍ଜାଳମୟ ଜୀବନରେ
ରାହା ଖୋଜୁ ଖୋଜୁ,
ଅସରନ୍ତି ଚଲାପଥରେ
ସଖାଟିଏ ଖୋଜୁ ଖୋଜୁ,
କେବେ କେବେ ଶୁଭିଯାଏ
ମଧୁର ବାଣୀର ଝଙ୍କାର....
ମିଳିଯାଏ ନିର୍ଭୟ ଆଶ୍ରୟଟିଏ...
ଅଶାନ୍ତିରୁ ପ୍ରଶାନ୍ତିକୁ...
ଶବ୍ଦରୁ ନିଶବ୍ଦକୁ ଟାଣିନିଏ...
ସବୁଠି ତୁମରି ଛୁଆଁ, ତୁମରି ଆବେଶ ।

ବୁଝିବାକୁ ବାକି ନାହିଁ ଆଉ
ଏଇ ଯେ ଜୀବନଟା ଖାଲି
ଛାଇ ଆଲୁଅର ଲୁଚକାଳି ଖେଳ
ସୁନାହରିଣୀର ମାୟା, ମିଥ୍ୟା ଅହମିକା
ଖାଲି ମୋହ ଆଉ ସମ୍ମୋହନ ,
ନୁହେଁ ମୁଁ ସୁଦାମା କି ସାଲବେଗ
ନାଁ ଅଛି ରାଧା କି ମୀରାର ଆବେଗ,
ତଥାପି ସମର୍ପଣ କରେ ନିଜକୁ
ଅତୀତ ଆଉ ବର୍ତ୍ତମାନକୁ
ତୁମର ସାନ୍ନିଧ୍ୟ ଟିକେ ପାଇଁ
ନିର୍ମାଲ୍ୟ କଣିକାଟିଏ ପାଇଁ
ପଞ୍ଚଭୂତରେ ଲୀନ ହେବା ପୂର୍ବରୁ ।।
-----------🌹🌹🌹-----------------

ରଚନା : ସତ୍ୟ ସୁନ୍ଦର ପରିଡ଼ା

ଠିକଣା : ନରସିଂହପୁର, ବନ୍ତ, ଭଦ୍ରକ ଫୋନ ନମ୍ବର : 9853376985