ମନସ୍ତାପ
🖊ନୂତନ କୁମାର ବେହେରା
ଆଶାର ଅସରନ୍ତି ତରଙ୍ଗ କେତେ
ଭାବନାରେ ମାଡିଆସେ
ପ୍ରବଳ ଜୁଆରର ରୂପ ନେଇ,
କାମନାର ବେଳାଭୂମି ଛୁଇଁ
ପୁଣି ଫେରି ଅନନ୍ତ ଗର୍ଭକୁ
ଅନ୍ତର ଚେତନାର ଗଭୀର ଗହ୍ଵରରେ
ଯାଏ ନିମିଷକେ ଲୀନ ହୋଇ।
ଆଖି ଆଗେ ନାଚି ଯାଏ
ରଙ୍ଗୀନ ସ୍ବପ୍ନର ଅସୁମାରୀ ସମ୍ଭାବନା,
ସାଉଁଟି ଆଣିବାକୁ ସଫଳତା
ଚଳାଏ ଅଭିଯାନ ଦୁର୍ବାର ଗତିରେ
ଆଣି ମାନସିକତା ଉତ୍ତେଜନା।
ପାଇବାର ଅହେତୁକ ଉଦ୍ଦୀପନା
ଇଚ୍ଛାମାନକୁ ସାଥିରେ ଧରି
ପ୍ରତିଦ୍ବନ୍ଦିତାରେ ସାମିଲ ହୁଏ
ନୂଆ ନୂଆ ସଂକଳ୍ପ ନେଇ,
ପାଏ ଯାହା କିଛି ନିଜ ସାଧ୍ୟ ସାଧନାରେ
ସନ୍ତୁଷ୍ଟ ହୁଏନା ଜମାରୁ କେବେ
ନିନ୍ଦି ନିଜର ଭାଗ୍ୟ ଭବିଷ୍ୟତକୁ
ଚାଲେ ଅଦୃଷ୍ଟ ବିଧାତାକୁ ଦୋଷ ଦେଇ।
ସମୀକ୍ଷା କରେ ନାହିଁ ନିଜ କର୍ମ ଧର୍ମକୁ
ଅନ୍ୟର ପ୍ରଗତି ଅଗ୍ରଗତି ଦେଖି
ହେୟ ମଣି ନିଜକୁ କରେ ମନସ୍ତାପ,
ନିଜର ଭୁଲ୍ ସଂଶୋଧନ ନ କରି
ନିଜ ସ୍ବଭାବକୁ ନ ସୁଧାରି
କରେ ଖାଲି ଅଯଥା ବିଳାପ।
ଏ ସଂସାର ଆନନ୍ଦର ପର୍ଯ୍ୟଟନ ସ୍ଥଳୀ
ସୁସମ୍ପର୍କ ଗଢି କାଟିବାକୁ ହୁଏ ଜୀବନ,
ଦୁଃଖ ସୁଖ ସମାନ ଭାବି
ନିର୍ବିକାର ମନେ ରହେ ଯିଏ ଧ୍ୟାୟୀ
ମନସ୍ତାପ ଭୁଲି ପାଏ ଶାନ୍ତି ସୁଖ
ସୃଷ୍ଟିର ଏ ନିୟମ ସତ୍ୟ ଚିରନ୍ତନ।
**** **** **** **** ****
କୋହି, ଗଡ଼ିଆ, ମୟୂରଭଞ୍ଜ
*** *** ***