ଶରତ କାଳ - ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

0
• ଶରତ ଆସିଛି / ମରତ ଛୁଇଁଛି / ଶୀତଳିତ  ରବି କର
• ଖରା, ଛାଇ ଖେଳ / ଚିତ୍ର ମନୋହର / ବହେ ଅଳସ ଅନିଳ
• ଜଳଧର ରଙ୍ଗ  / ଧବଳ  ତରଙ୍ଗ / ଭାସେ ଆବୋରି ଅମ୍ଵର
• ଶରତ ଆସିଛି / ମରତ ଛୁଇଁଛି / ଶୀତଳ ତପନ କର ।।
•
• ନଈପଠା ଧାରେ / ମାଳମାଳ ଦୋଳେ / କାଶତଣ୍ଡି ଗୁଳ୍ମ ପୁଷ୍ପ
• ଶୁଭ୍ର ଚାମର / ଢାଳିବା ପ୍ରକାର / ଅପରୂପ ତାର ଦୃଶ୍ୟ
• ଜ୍ୟୋତ୍ସ୍ନୀ ମଞ୍ଜରୀ ତା / କୁସୁମ ହରିଦ୍ରା  / କନକ କାନ୍ତି ପ୍ରକାଶ  
• ନଈପଠା ଧାରେ / ମାଳମାଳ ଦୋଳେ / କାଶତଣ୍ଡି ଗୁଳ୍ମ ପୁଷ୍ପ ।।
•
• ନଦ ନଦୀ ଜଳ / ସ୍ଵତ୍ସ ନିର୍ମଳ / ଉତ୍ତାଳେ ଲହରୀ ଖେଳେ
• ତରଙ୍ଗେ ଚଞ୍ଚଳ / ଅମଳ କମଳ / ଢଳେ ହସି ହସରୋଳେ
• ଜାତି ଜାତି ପ୍ରଜା-/ ପତି ହର୍ଷୋତ୍ଫୁଲ୍ଲେ / ଫୁଲ ରୁ ଫୁଲକୁ ଉଡେ
• ନଦ ନଦୀ ଜଳ / ସ୍ଵତ୍ସ ନିର୍ମଳ / ଉତ୍ତାଳେ ଲହରୀ ଖେଳେ ।।
•
• କେଦାର ସୁନ୍ଦର / ଶ୍ୟାମଳ ବିମଳ / ଶସ୍ୟାଦି ଅଳସ ଭାଙ୍ଗେ
• ଶରଦେନ୍ଦୁ ତାର / ରୂପେଲି ଉଜ୍ବଳ / କିରଣେ ଖେଳେ ବିଭଙ୍ଗେ
• ଏକାଳେ କାଶ୍ୟପୀ / ସୁନ୍ଦରୀ ସୁହାସୀ / ପବିତ୍ର ପବିତ୍ର ଲାଗେ
• କେଦାର ସୁନ୍ଦର / ଶ୍ୟାମଳ ବିମଳ / ଶସ୍ୟାଦି ଅଳସ ଭାଙ୍ଗେ ।।
•
• ପୂଣ୍ୟ ତିଥିରେ / ଶରତ ସକାଳେ /  ଶାରଦୀୟ ଦେବୀପୂଜା
• ଧରାବତରଣ / କରନ୍ତି ଏକାଳେ / ଶୈଳପୁତ୍ରୀ ଦଶଭୁଜା
• ତେଣୁ ମହାଦେବୀ / ସ୍ଵାଗତ ପାଇଁକି  / ୟେ ଶରତ ର ସାଜସଜ୍ଜା
• ପୂଣ୍ୟ ତିଥିରେ / ଶରତ ସକାଳେ / ଶାରଦୀୟ ଦେବୀପୂଜା ।।



Post a Comment

0Comments
Post a Comment (0)