ଦେଏ ଲବଣୀ ସର 
              ବି.ନିରୁପମା

ମାଆ ମୋତେ ଭୋକ କଲାଣି
ଦେଏ ଲବଣୀ ସର ,
ସେତିକି ତୁ ଦହି ମନ୍ଥିଥା'
ଯିବି ସଖାଙ୍କ ଘର ।

ଖେଳିବି ମୁଁ ତାଙ୍କ ସାଥିରେ 
ଏବେ ହେଲାଣି ଡେରି ,
ସୁରୁଜ ବୁଡ଼ିବା ଆଗରୁ
ନିଶ୍ଚେ ଆସିବି ଫେରି ।

କରିବିନି ଜମା କା' ଘରୁ
ଦୁଧ ଦହି ମୁଁ ଚୋରି ,
ଯେ ଆସି ମିଛରେ କହିବ
ଦେବୁ ଆକଟ କରି ।

ତୁ ଜାଣିଛୁ କେଡ଼େ ସୁଧାର
ପରା ତୋ ଧନମାଳି ,
ଅନ୍ୟ କଥା ଶୁଣି ଜମାରୁ
କେବେ ଦେବୁନି ଗାଳି ।

ଯିବି ମୁଁ ସଅଳ ମାଆ ଲୋ
ଦେଏ ଦୁଧ ଗଇଁଠା ,
ଜାଣିଛୁ ତ ମୋର ପସନ୍ଦ
ଭାରି ଲାଗଇ ମିଠା ।

ଦେଏ କିଛି ଦୁଧ,ଦହି ଲୋ
ନେବି ସାଥୀଙ୍କ ପାଇଁ ,
ଏକଠାବେ ରୁଣ୍ଡ ହୋଇକି
ଥିବେ ମୋ ବାଟ ଚାହିଁ ।

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।