ବାପା ମାଆ କିଏ ଜାଣିନି
ଆଶ୍ରମର ଧାଈ ମାଆ କୁହନ୍ତି
ଆଣିଥିଲେ ମୋତେ ଅଳିଆ ଗଦାରୁ
କୁକୁର ଖାଇବା ଆଗରୁ ଉଦ୍ଧାର କରିଛନ୍ତି ।।

ସେବେଠୁ ଏଇ ମୋ ସଂସାର
ମୋ ପରି ଆଉ କିଛି ପିଲା
ସମସ୍ତଙ୍କର କିଛି ଅଲଗା ଅଲଗା କାହାଣୀ
ଶୁଣିଲେ ବହିବ ଲୁହର ଉଜାଣି ।।

ତଥାପି ମୁଁ ବଞ୍ଚିଛି
କେବେ ସରକାରୀ ବାବୁ ଆସନ୍ତି
ପାଞ୍ଚ ମିନିଟ ଗେଲ କରିବାକୁ
ଆଉ କିଛି ଚିତ୍ର ଉତ୍ତୋଳନ ।।

କଣ ଗୋଟେ ଯନ୍ତ୍ର ତାଙ୍କ ହାତରେ
ମୋତେ କହିଲେ ହସିବାକୁ
ଆଉ ସେ ଯନ୍ତ୍ରକୁ ଦେଖିବାକୁ
ହାତରେ ଧରେଇ ଦେଲେ ଖାଦ୍ୟ ପୁଡ଼ିଆ ।।

ଆଉ କେବେ କିଛି ଲୋକ ଆସନ୍ତି
ଦୁଇ ପଦ ମିଠା କଥା କୁହନ୍ତି
ଖାଦ୍ୟ ପୁଡ଼ିଆ ଟିଏ ଦେଇ
ଚାଲି ଯାଆନ୍ତି ଭଲ ମନ୍ଦ ପଚାରି ଦେଇ ।।

ଖାଇବାକୁ ମିଳୁଛି ସିନା
ହେଲେ ସେ ସ୍ନେହ କାହିଁ
ବାପା ମାଆଙ୍କ ଚିତ୍ର ଦେଖିଛି ବହିରେ
ସତରେ କେମିତି ହୋଇଥିବେ ସେମାନେ ।।

ମୋର କଣ ଭୁଲ ଥିଲା
ମୋତେ କାହିଁକି ଦୁନିଆଁକୁ ଆଣିଲ
ଆଉ ଛାଡ଼ିଦେଲ ଅନାଥ ହେବାକୁ
ଅଧା ଗଢ଼ା କାହାଣୀର ଚରିତ୍ର ହେଲା ।।

ହେଲେ ମୁଁ ବି ପ୍ରତିଜ୍ଞା କରୁଛି
ଏଭଳି କିଛି କରିବାକୁ
ଦୁନିଆଁ କାହାକୁ ଅନାଥ ନକହୁ
ଉଜ୍ଜଳ ଭବିଷ୍ୟତ ସମସ୍ତଙ୍କ ହେଉ ।।

ରଚନା : ରାକେଶ ସାହୁ

ଠିକଣା : ରାକେଶ ସାହୁ ଫୋନ ନମ୍ବର :