ସର୍ପ ଗର୍ତ ବର୍ତ୍ତି ଅମିରୀ ଲତାରେ
ଆଶ୍ରୟେ ଆର୍ଶିତ ହୋଇ ,
ଧାଡି ଧାଡି ଜନ୍ଦା ଛନ୍ଦି ଛନ୍ଦି ସର୍ବେ
ଆହାର ନିଅନ୍ତି ବୋହି ।୧।

ଯତୁକା ଯୌବନେ ଦୁଃଖ ପୂର୍ଣ୍ଣ ଘନେ
ଓହଳେ ଓହଳ ଧରି,
ଚାତକ ଚାହିଁଛି ଚତୁର ନୟନେ
ବରଷା ଜଳକୁ ସ୍ମରି ।୨।

ଅନ୍ନ ଅନ୍ବେଷଣେ ବଞ୍ଚିବା କାରଣେ
ଏଣେତେଣେ ବିଚରଣ,
ବେଳ ଥାଉ ଜଳ ସଞ୍ଚିଲେ ସକଳ
କିଏ ସେ କରେ ଭ୍ରମଣ ?।୩।

ଉଲ୍ଲାସ ପ୍ରକାଶ ରସାଳ ସରସ
ବନ ସତେ ହର୍ଷକୁଞ୍ଜ,
ରଞ୍ଜାଇ ରମଣୀ ରମିବ ମେଦିନୀ
ଇନ୍ଦ୍ରଧନୁ ସପ୍ତମୂର୍ଜ ।୪।

ଆକାଶେ ଆକର୍ଷେ ମେଘଗୁଚ୍ଛ ଶୀର୍ଷେ
ବର୍ଷାରାଣୀ ଆଗମନ ,
ମାଟି -ବର୍ଷା ଦୁହେଁ ଖେଳିବେ ଆନନ୍ଦେ
ପ୍ରକୃତି ପ୍ରତିମା ଦାନ ।୫।

କଷଣ ପାଷାଣ ଧରଣୀ ତେଜିଣ
ଶ୍ରବଣ ଝରଣା ନାଦ,
କୁଳୁ କୁଳୁ ଗୀତେ ପାହାଡେ ନିନାଦେ
ରିମ୍ ଝିମ୍ ନୃତ୍ଯେ ପାଦ ।୬।

ଝୁମି ଝୁମି ବନ କରଇ ଭଜନ
ଜଳ ପବନ ନା' ଭେଦ,
ସିରି ସିରି ବାଆ ଥିରି ଥିରି ବହେ
ବରଷା ଛିଟ ତା' ସ୍ବାଦ ।୭।

ଫର୍ ଫର୍ ଉଡେ ଝଡିପୋକ ରାତ୍ରେ
କୃତ୍ରିମ ଆଲୁଅ ପାଶେ,
ପର ଝାଡି ଦେଇ ମରଣ ବରଣ
ବିଦ୍ଯୁତ ସ୍ରୋତ'ର ଝାସେ ।୮।

ରଚନା : ଭଜରାମ ସେଠୀ

ଠିକଣା : ଗଂଜାମ,ଆସିକା ଦୂରଭାଷ : 9566876504