*ରାମାୟଣରୁ କିଛି......୬୩*

*ରାମଙ୍କ ଆଗରେ ପରଶୁରାମ କ'ଣ ସବୁ ବର୍ଣ୍ଣନା କଲେ ?*

ପରଶୁରାମ କହିଲେ ରେ ରାମ, ବର୍ତ୍ତମାନ ମୋର ପିତା କେମିତି ମଲେ ଶୁଣ । ଥରେ ମାହେଷ୍ମତୀପୁରର ହୈହୟ ବଂଶୀୟ ରାଜା କାର୍ତ୍ତବୀର୍ଯ୍ଯ ନିଜ ସଙ୍ଗରେ ବହୁ ସୈନ୍ୟସାମନ୍ତ ନେଇ ଶିକାର କରିବାକୁ ଅରଣ୍ଯକୁ ଆସିଲା । ଵଣଯାକ ବୁଲି ମୃଗମାନଙ୍କୁ ବଧ କରିବାରେ ଲାଗିଲା । ରାତି ହୋଇଯିବାରୁ ସେମାନେ ସମସ୍ତେ ଵଣ ଭିତରେ ରହିଲେ । ମୋ ପିତାଙ୍କ ଆଶ୍ରମ ନିକଟରେ ଗୋଟିଏ ସୁନ୍ଦର ଜଳାଶୟ ଥିଲା । କାର୍ତ୍ତବୀର୍ଯ୍ଯ ଆସି ସେହି ଜଳାଶୟରେ ସ୍ନାନ କଲାବେଳେ ମୋ ପିତା ତାକୁ ଦେଖି ତା' ପାଖକୁ ଗଲେ । କାର୍ତ୍ତବୀର୍ଯ୍ଯ ସେତିକିବେଳକୁ ସ୍ନାନ ସାରିଥିଲା । ସେ ମୋ ପିତାଙ୍କୁ ଦେଖି ଭକ୍ତିରେ ପ୍ରଣିପାତ କଲା । ମୋ ପିତା ତାକୁ କଲ୍ଯାଣ କରି ତା' ଆସିବାର କାରଣ ପଚାରନ୍ତେ ମୃଗୟା କରିବା ପାଇଁ ବଣକୁ ଆସିଥିବା ଓ ବଣ ମଧ୍ଯରେ ରାତ୍ରିଯାପନ କରିଥିବା କଥା ବର୍ଣ୍ଣନା କଲା । କାର୍ତ୍ତବୀର୍ଯ୍ଯ ଓ ତା'ର ବିପୁଳ ସେନାନି ଉପଵାସରେ ଅଛନ୍ତି ବୋଲି ଜାଣିପାରି ମୋ ପିତା ସେମାନଙ୍କୁ ଆଶ୍ରମକୁ ନିମନ୍ତ୍ରଣ କଲେ ଓ ସେମାନଙ୍କୁ ସଙ୍ଗରେ ନେଇ ଆଶ୍ରମକୁ ଆସିଲେ । ମୋ ପିତାଙ୍କ ଆଶ୍ରମରେ ତ କାମଧେନୁ ଥିଲେ । ଏମାନଙ୍କ ପାଇଁ ଭୋଜନ ବ୍ଯବସ୍ଥା କରିବା ପାଇଁ ମୋ ପିତା କାମଧେନୁଙ୍କୁ ଜଣାଇଲେ । କାମଧେନୁ ବହୁ ମୂଲ୍ୟବାନ ଖାଦ୍ଯଦ୍ରବ୍ଯ ଯୋଗାଇ କାର୍ତ୍ତବୀର୍ଯ୍ଯ ଓ ତାଙ୍କ ସୈନ୍ୟମାନଙ୍କୁ ସନ୍ତୁଷ୍ଟ କରିଦେଲେ ।
ଏତେ ଲୋକଙ୍କୁ ଏହି ଛୋଟିଆ ଆଶ୍ରମରୁ ଋଷି କିପରି ଏଭଳି ବିପୁଳ ରାଜଭୋଜ୍ଯ ଖାଦ୍ଯ ସାମଗ୍ରୀ ଯୋଗାଇ ପାରିଲେ ସେହିକଥା ଭାବି କାର୍ତ୍ତବୀର୍ଯ୍ଯ ବିସ୍ମିତ ହେଲା । ମୋ ପିତାଙ୍କ ଆଶ୍ରମରେ କ'ଣ ସବୁ ଅଛି ତାହା ଦଖିଆସିବା ପାଇଁ ମନ୍ତ୍ରୀକି ପଠେଇଲା । ମନ୍ତ୍ରୀ ଦେଖିଯାଇ ତାକୁ ଜଣେଇଲା --ସେହି ଆଶ୍ରମରେ ସମସ୍ତେ ବକଳ ପିନ୍ଧିଛନ୍ତି । ମୁନିଙ୍କ ପତ୍ନୀ ମଧ୍ଯ ବକଳ ପିନ୍ଧିଛନ୍ତି । ମାଟି କୁଣ୍ଡମାନଙ୍କରେ ପାଣି ଅଛି । ସେଠି ଧନରତ୍ନ,କଂସା,ପିତଳ କିଛି ନାହିଁ । ଶସ୍ଯ ବି ନାହିଁ । ସେଠି କେବଳ ଗୋଟିଏ ଅଗ୍ନିକୁଣ୍ଡ ଅଛି । କିଛି କାଠ,କୁଶଘାସରେ ତିଆରି କେତୋଟି ଆସନ ଅଛି । କେବଳ ଗୋଟିଏ ଗାଈ ଅଛି । ସେହି ଗାଈଟି ଜାଣନ୍ତୁ ସର୍ବସାର । ସେହି ଗାଈଟିର ନାମ କାମଧେନୁ । ଯାହା କାମନା କରି ତାକୁ ମାଗିବ ସେ ଗାଈ ସବୁ ଯୋଗାଇ ଦେବ । ମନ୍ତ୍ରୀ ମୁଖରୁ ଏକଥା ଶୁଣି କାର୍ତ୍ତବୀର୍ଯ୍ଯ କାମଧେନୁକୁ ହସ୍ତଗତ କରିବା ପାଇଁ ଇଛାକଲା । କାର୍ତ୍ତବୀର୍ଯ୍ଯ ମୋ ପିତାଙ୍କ ପାଖକୁ ଆସି କାମଧେନୁକୁ ମାଗନ୍ତେ ମୋ ପିତା ତାକୁ କହିଲେ --ଗୋଲକ ଧାମରେ କାମଧେନୁର ଜନ୍ମ । ବ୍ରହ୍ମାଙ୍କ ଉପରେ ସନ୍ତୁଷ୍ଟ ହୋଇ ନାରାୟଣ ଏହି କାମଧେନୁକୁ ବ୍ରହ୍ମାଙ୍କ ହସ୍ତରେ ଅର୍ପଣ କଲେ । ସେହି କାମଧେନୁକୁ ବ୍ରହ୍ମା ତାଙ୍କ ପୁତ୍ର ମହର୍ଷି ଭୃଗୁଙ୍କୁ ଅର୍ପଣ କଲେ । ସେହି କ୍ରମରେ ସେହି ଧେନୁ ମୋ ପାଖକୁ ଆସିଲେ । ସେହିଦିନୁଁ ସେହି ଦେବଦୁର୍ଲଭ ଗାଭୀ ମୋ ଆଶ୍ରମରେ ରହିଛନ୍ତି । ସେହି କାମଧେନୁଙ୍କୁ ମୁଁ କଦାପି ତୁମ୍ଭଙ୍କୁ ଦେଇନପାରେ ।
ମୋ ପିତାଙ୍କଠାରୁ ଏହା ଶୁଣି କାର୍ତ୍ତବୀର୍ଯ୍ଯ ମୋ ପିତାଙ୍କୁ ନମସ୍କାର କରି ଚାଲିଗଲା । କିନ୍ତୁ କାମଧେନୁଙ୍କୁ ବାନ୍ଧିନେବା ପାଇଁ ସୈନ୍ୟ ପଠାଇଲା । ସେମାନେ କାମଧେନୁଙ୍କୁ ବାନ୍ଧିନେବା ଦେଖି ମୋ ପିତା କରୁଣ ଭାବରେ କାନ୍ଦିବାରେ ଲାଗିଲେ । ମୋ ପିତାଙ୍କ ଆଖିରେ ଅଶ୍ରୁଦେଖି କାମଧେନୁ ସହିପାରିଲେ ନାହିଁ । ନିଜ ଦେହରୁ ଅସଂଖ୍ଯ ସୈନ୍ୟ ବାହାର କଲେ । କାମଧେନୁଙ୍କ ଦେହରୁ ବାହାରିଥିବା ସେହି ସୈନ୍ୟମାନେ ଆକ୍ରମଣ କରିବାରୁ କାର୍ତ୍ତବୀର୍ଯ୍ଯର ସୈନ୍ୟମାନେ ପଳେଇଯାଇ କାର୍ତ୍ତବୀର୍ଯ୍ଯକୁ ସବୁକଥା ଜଣାଇଲେ । ତହୁଁ କାର୍ତ୍ତବୀର୍ଯ୍ଯ ବହୁସୈନ୍ଯ ଆଣି ପୁଣି ଆକ୍ରମଣ କଲା । କାମଧେନୁ ପୁଣି ସୈନ୍ୟ ସୃଷ୍ଟି କରି ସେମାନଙ୍କୁ ଆକ୍ରମଣ କରିବାରୁ ସେମାନେ ହାରି ପଳେଇଲେ । କାର୍ତ୍ତବୀର୍ଯ୍ଯ ଆଘାତ ପାଇ ମୂର୍ଚ୍ଛା ହୋଇ ପଡିଗଲା । ମୋ ପିତା ଯାଇ ତାକୁ ଚେତା କରେଇଲେ ଓ କ୍ଷମା ଦେଇ ତାକୁ ଫେରିଯିବାକୁ କହିଲେ । କାର୍ତ୍ତବୀର୍ଯ୍ଯ ମୋ ପିତାଙ୍କୁ ନମସ୍କାର କରି ଫେରିଗଲା । କିନ୍ତୁ ପୁଣି ଯୁଦ୍ଧ କରିବାକୁ ଆସିଲା । ଏହିପରି ସେ ତିନିଥର ଆସିଲା ଓ ତିନିଥରଯାକ ହାରି ଫେରିଗଲା । ପୁଣି ଆସି ସେ ଯୁଦ୍ଧ କଲା ଓ ଦେବଦତ୍ତ ଶକ୍ତିକି ହାତରେ ଧରି ମୋ ପିତାଙ୍କ ଉପରକୁ ନିକ୍ଷେପ କଲା । ତାହା ମୋ ପିତାଙ୍କ ଛାତିରେ ବାଜିବାରୁ ମୋ ପିତା ମରି ଟଳିପଡିଲେ । ମୋ ପିତାଙ୍କ ମୃତ୍ୟୁ ଦେଖି କାମଧେନୁ କାନ୍ଦି କାନ୍ଦି ବୈକୁଣ୍ଠକୁ ଚାଲିଗଲେ । ମୋ ମାତା ଶୋକାକୁଳା ହୋଇ ପିତାଙ୍କ ଚିତାଗ୍ନିରେ ପ୍ରବେଶ କରି ଦେହ ଛାଡିଲେ । ସେତେବେଳେ ମୁଁ ପିତାଙ୍କ ପାଖରେ ନଥିଲି । ପୁଷ୍କର ତୀର୍ଥରେ ଥାଇ ସେହିଠାରେ ତପ କରୁଥିଲି । ପିତାଙ୍କ ମୃତ୍ୟୁ ସମ୍ବାଦ ପାଇ ମୁଁ ଆସି ଦେଖେ ତ ଭାଇମାନେ ବିକଳ ହୋଇ କାନ୍ଦୁଛନ୍ତି । ମୁଁ ବି ବହୁତ କାନ୍ଦିଲି । ପିତାଙ୍କ ମୃତ୍ୟୁ ଓ ତାଙ୍କ ସହିତ ମାତାଙ୍କର ସହଗମନ ଦେଖି ମୁଁ ଆଉ ସହିପାରିଲି ନାହିଁ । କ୍ଷତ୍ରିୟମାନଙ୍କୁ ଏକୋଇଶ ବାର ସଂହାର କରିବି ବୋଲି ମୁଁ ସେଇଠି ପ୍ରତିଜ୍ଞା କଲି ଓ ପ୍ରତିଜ୍ଞାକଲି ଯେ ଯୁଦ୍ଧକରି ପ୍ରଥମେ କାର୍ତ୍ତବୀର୍ଯ୍ଯକୁ ବଧ କରିବି । ଏସବୁ ଅସାଧ୍ଯ କର୍ମ ସାଧନ କରିବା ପାଇଁ ମୋଠାରେ ଯଥେଷ୍ଟ ଶକ୍ତି ନଥିଲା । ତେଣୁ ମୁଁ ମୋର ପଣଅଜା ବ୍ରହ୍ମାଙ୍କ ପାଖକୁ ଯାଇ ତାଙ୍କୁ ମୋର ପ୍ରତିଜ୍ଞା କଥା କହିଲି ଓ ମୋ ପ୍ରତିଜ୍ଞାକୁ ମୁଁ ଯେପରି ପୂରଣ କରିପାରିବି ସେଥିପାଇଁ ମୋତେ ବଳ ଦେବାପାଇଁ ମୁଁ ବ୍ରହ୍ମାଙ୍କୁ ପ୍ରାର୍ଥନା କଲି । ବ୍ରହ୍ମା କହିଲେ--ଆରେ ପୁତ,କାର୍ତ୍ତବୀର୍ଯ୍ଯ ତୋ ପିତାଙ୍କୁ ତ ବଧ କଲା । ତୁ ସବୁକ୍ଷତ୍ରିୟଙ୍କୂ ବଧ କରିବୁ କାହିଁକି ? ପୁଣି ଏକୋଇଶ ବାର ! ଏପରି ଆଦେଶ ତ ମୁଁ ତୋତେ ଦେଇ ପାରିବି ନାହିଁ । ଏଭଳି କାର୍ଯ୍ୟ କରିବା ପାଇଁ ତୋର ଯଦି ଅଭିଳାଷ ତେବେ ତୁ ଶିବଙ୍କ ପାଖକୁ ଯା' । ସେ ଯଦି ତୋତେ ଏକାମ କରିବା ପାଇଁ ଅନୁମତି ଦେବେ ଓ ବିଷ୍ଣୁ ମନ୍ତ୍ର କବଚ ଆଦି ଦେବେ ତେବେ ତୁ ଏକାମ କରିପାରୁ ।
ତହୁଁ ମୁଁ କୈଳାସପୁରୀକୁ ଯାଇ ଶିବଙ୍କୁ ବହୁ ସ୍ତୁତି କଲି । ଶିବ ମୋତେ ଦେଖାଦେଇ ପଚାରନ୍ତେ ମୁଁ ସବୁକଥା ତାଙ୍କୁ ଜଣେଇଲି । କାର୍ତ୍ତବୀର୍ଯ୍ଯଙ୍କୁ ବଧ କରିବା ଓ ପୃଥିବୀକି ଏକୋଇଶବାର ନକ୍ଷତ୍ରି କରିବା ମୋର ପ୍ରତିଜ୍ଞା ବୋଲି ମୁଁ କହିଲି । ସେଠି ଶିବଙ୍କ ପତ୍ନୀ ଦୁର୍ଗା ଥିଲେ । ଏକଥା ଶୁଣି ସେ ରାଗି ଉଠିଲେ । ଦୁର୍ଗା କହିଲେ--କାର୍ତ୍ତବୀର୍ଯ୍ଯ ଘରେ ମୁଁ ହେଉଛି ରାଜଲକ୍ଷ୍ମୀ । ତାକୁ ମୁଁ ସବୁବେଳେ ଦୟାକରିଥାଏ । କାର୍ତ୍ତବୀର୍ଯ୍ଯ ବିଷ୍ଣୁଭକ୍ତ । ତାକୁ ବଧ କରିବାକୁ ପୃଥିବୀରେ କେହି ପୁଅ ନାହିଁ । ମୁଁ ଥିବାଯାଏ ତାକୁ କିଏ ବଧ କରିପାରିବ ? ଏ ଶିବ ବା କ'ଣ କରିପାରିବେ ? ତେଣୁ ତୁମେ ଫେରିଯାଅ । ଆଉ କେବେ ଏଭଳି ଇଛାନେଇ ଏଠିକି ଆସିବ ନାହିଁ ।
କ୍ରମଶଃ........

*ସଂଗ୍ରହକାରୀ--ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ଵର, ମୋ--୯୮୫୩୧୪୨୫୧୦*


ରଚନା : ନରେନ୍ଦ୍ର ପ୍ରସାଦ ବେହେରା

ଠିକଣା : ଆଳଦା, ଖଇରା,ବାଲେଶ୍ଵର ଦୂରଭାଷ : ୯୮୫୩୧୪୨୫୧୦