ହାତ ନଥାଇ ବି ମହାବାହୁ ତୁମେ
ପଲକ ନଥାଇ ଚକାନୟନ 
କାନ ନଥାଇ ବି ସାତଶ ପଚାଶ
କୋଶରୁ ଶୁଣ ଆତୁର ରୋଦନ ।

ପାଦ ନଥାଇ ବି ସାଗର ବେଳାରେ
ବିଜେ କରିଥାଅ ବାଲିର ରଥେ
ଯେତେ ଦୂରୁ ଭକ୍ତ ଡାକିଲେ ତୁମକୁ
ଶୁଣି ପାରିଥାଅ ହୃଦୟଗତେ ।

ଭକତର ଗାଳି ଚନ୍ଦନ ସମ 
ମଥାପରେ ତୁମେ ଆଦରେ ବୋଳ
ଭକତି ପରୀକ୍ଷା କରୁଥାଅ ନିତି
ଚୁପି ଚୁପି ହସି ରଙ୍ଗା ଅଧର ।

ତୁମପରି ଆଉ କିଏ ଦୁନିଆରେ
ଏତେ ଆପଣାର ପାରିବ ହୋଇ
ଜନମେ ମରଣେ ତୁମେ ଏକା ସାଥି
ବିପଦେ ବାନ୍ଧବ ପାରିବ ହୋଇ ।

ମିଛ ଦୁନିଆରେ ସତ ଏକା ତୁମେ
ତୁମ ନାମ ସଦା ତୁଣ୍ଡେ ଥିଲେ
ଦିବ୍ୟ ପରମ ଅମିୟର ଝର
ପାନ କରିବାର ତୃପ୍ତି ମିଳେ ।

ତୁମ ସୃଷ୍ଟିର ସକଳ ଛତ୍ରେ
ତୁମେ ଲୁଚିଥାଅ ସୂକ୍ଷ୍ମରୂପେ
ତେଣୁ ଜଗନ୍ନାଥ ନାମ ବହ ତୁମେ
ଦିବାନିଶି ତୁମ ନାମକୁ ଜପେ ।

   ରମେଶ ଚନ୍ଦ୍ର ମିଶ୍ର, ତାପସ କୁଟୀର, 
           ବଇଣ୍ଡା, ଅନୁଗୋଳ,