ଟିକିଏ ସ୍ବାଧୀନତାର ସ୍ୱାଦ ଚାଖିବା ପାଇଁ
ବିଚରା ଆର୍ଯ୍ୟଟା
ଅନାର୍ଯ୍ୟ ପାଶେ କରିଥିଲା ଯେବେ ଆତ୍ମ ନିବେଦନ
କୃତଘ୍ନର ଚାବୁକ ପ୍ରହାରଟା
ପ୍ରାଣପଣେ ପିଟୁଥିଲା ତା ନିରୀହ ପିଠିକୁ 
କରି ଆସ୍ଫାଳନ
ମାରୁଥିଲା ଲାଠିମାଡ଼ ନିଷ୍ପାପ ଛାତିରେ ଭୁଷି
ନିଷ୍ଠୁର ବନ୍ଧୁକ କମାଣ ।

ଟିକିଏ ଶାନ୍ତିରେ ନିଃଶ୍ୱାସ ମାରିବା ପାଇଁ
ନିରୀହ ହିନ୍ଦୁଟା
ଅହିଂସା ଥାଳ ପତାଇ ମାଗୁଥିଲା ଯେବେ ପ୍ରେମ ଭିକ୍ଷା
ବ୍ୟଭିଚାରୀ ଶୋଷଣକାରୀ ପିଶାଚଟା
ଶୋଷୁଥିଲା ସରଳ ଜାତିର ତରଳ ରକ୍ତ
କରି ସୀମା ଲଙ୍ଘନ
ଆମନ୍ତ୍ରଣ କରିଥିଲା 
ବିଦ୍ରୋହ, ଆନ୍ଦୋଳନ ଓ ସଂଗ୍ରାମର
ରକ୍ତାକ୍ତ ଅଭିନୟ ।

ଟିକିଏ ନ୍ୟାର୍ଯ୍ୟଦାବୀ ଆଞ୍ଜୁଳାଏ ମାନବିକତା ଅଧିକାର ପାଇଁ
ଶିଶୁଠୁ ବୃଦ୍ଧଟା
ନିଷ୍ଠାର ଧନୁରେ ଦେଶପ୍ରେମର ଶରଯୋଖୀ
ଆତ୍ମବିଶ୍ୱାସର କରିଥିଲା ଯେବେ ଦୃଢ଼ ନିକ୍ଷେପ
ବିଦେଶୀର କ୍ଷମତା ମହାଲଟା
ଭାଙ୍ଗିତୁଟି ଚୁରମାର ହେଲା
କରି ମାନସିକ ଆତ୍ମ ସମର୍ପଣ
ଶ୍ବାନ ଶୃଗାଳ ପ୍ରାୟ ଲୁଚି ଚାଲିଗଲା ଅଗଷ୍ଟ ଚଉଦରେ
ପରୋକ୍ଷରେ ପନ୍ଦରରେ ଧରାଇ
ଐକ୍ୟ, ଭ୍ରାତୃତ୍ୱ, ପ୍ରୀତିର ସ୍ୱାଧୀନ ତ୍ରିରଙ୍ଗାବାନା ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା, କେନ୍ଦୁଝର