ପୋଛି ଦିଅନା ମୋ ମଥାରୁ ସିନ୍ଦୁର
ଭାଙ୍ଗ ନାହିଁ ହାତ ଶଙ୍ଖା ,
କଥା ଦେଇଥିଲେ ସଅଳ ଫେରିବେ
ହେବ ତାଙ୍କ ସହ ଦେଖା ।

ଯେଉଁଦିନ ମୋତେ ବାହା ଦେଇଥିଲେ
କହିଥିଲେ ବାପା ହସି ,
'ସୁପାତ୍ରରେ ମୁହିଁ କନ୍ୟାଦାନ କରି
ହେଉଅଛି ଭାରି ଖୁସି ।'

ବିଦାୟ ବେଳାରେ ଆଶୀର୍ବାଦ ଦେଇ
ଆଉଁଶି ଥିଲେ ମୋ ମଥା ,
'ସର୍ଵ ସୁଲକ୍ଷଣୀ ହୋଇଥା' ଲୋ ମାଆ
ବଜର ହେଉ ତୋ ଶଙ୍ଖା ।'

ଅନ୍ୟ ଗୁରୁଜନ ଲୁହ ପୋଛିଦେଇ
ଦେଇଥିଲେ ଶୁଭାଶିଷ ,
'ପାଚିଲା ବାଳରେ ସିନ୍ଦୁର ନାଇଥା'
ଉଜ୍ବଳ ହେଉ ଭବିଷ୍ୟ ।'

ଏତେ ଆଶୀର୍ବାଦ ଥାଉ ଥାଉ ମୋ'ଠି
କରମ ହୋଇଲା ବାମ ,
ବୀର ପରି ସିଏ ଦେଶ ଲାଗି ଲଢ଼ି
ଚଳିଲେ ଅମର ଧାମ ।

କେତେଥର ମୋତେ କହିଥିଲେ ସେ ଯେ
ଏ ଦେଶ ସୁରକ୍ଷା ପାଇଁ ,
ପ୍ରତିକ୍ଷଣ ଆମେ ସତର୍କ ହୋଇକି
ରହିଥାଉ ପରା ଚେଇଁ ।

ଆମେ ଉଜାଗର ରହିକରି ଯେଣୁ
କର୍ତ୍ତବ୍ୟଟି କରୁ ନିତି,
ଦେଶବାସୀ ତେଣୁ ନିଶ୍ଚିନ୍ତରେ ଏଣେ
ଗୃହରେ ନିଦ୍ରା ଯାଆନ୍ତି ।

କହିଥିଲେ ପୁଣି ପୁଅକୁ ବୁଝାଇ
'ବଡ଼ ହେବୁ ତୁହି ଯେବେ ,
ସୈନିକଟେ ହୋଇ ଏଇ ଦେଶକୁ ତୁ
ସୁରକ୍ଷା ବି ଦେବୁ ତେବେ ।

ନିକଟରେ ମୁହିଁ ଘରକୁ ଫେରିଲେ
ନେବିରେ ପୋଷାକ ଜୋତା ,
ଜେଜେ,ଜେଜୀମା'ଙ୍କ ସେବା କରୁଥିବୁ
ମାନି ଚଳୁଥିବୁ କଥା ।'

ତାଙ୍କ ଆଶ୍ୱାସନା ସତ ହେଲା କିବା
ସଅଳ ଆସିଲେ ଫେରି ,
ପୁଅ କହୁଅଛି ଦେଖୁ ଦେଖୁ ବାପା
ନେବେ ନିଶ୍ଚେ କୋଳ କରି ।

ଚାରିଆଡ଼େ ଖାଲି ଅମର ରହେ ସେ
ଧ୍ୱନି ଶୁଭେ ଅହରହ ,
କାହିଁ ପାଇଁ ତେବେ ମଥାରୁ ସିନ୍ଦୁର
ପୋଛିଦେବି ମୋର କୁହ !!

ଦେଶ ଜାତି ହିତେ ବଳିଦାନ ଦେଇ
ଅମର ହେଲେ ସେ ଆଜି ,
ଅଧୁରା ସ୍ୱପ୍ନକୁ ସାକାର କରିବି
ତାଙ୍କ ପ୍ରତିନିଧି ସାଜି ।

ପିନ୍ଧାଇ ଦିଅ ହେ ତାଙ୍କ ସେନା ବସ୍ତ୍ର
ସୀମାନ୍ତକୁ ମାଡ଼ିଯିବି ,
ମହାକାଳୀ ରୂପେ ଛଦ୍ମବେଶୀ ଶତ୍ରୁ
ଖୋଜି ଖୋଜି ନାଶୁଥିବି ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।