ମୁଁ ତ ଗୋଟେ କୁହୁଡି ଘେରା ନିରୀହ ଶୀତରାତି
ଉଷ୍ମତା ଦେବା ବାହାନାରେ କେତେ
ଜଲ୍ଲାଦ କେତେଥର ମାରିଛି ପ୍ରତାରଣାର କାତି ।
ତୁ ଦେଖ ମୋ ଭିତରେ କେମିତି ମତେ ଟିକି ଟିକି କରି ଖାଉଛି
ତୋତେ ହରେଇ ଦେବାର ଗୋପନୀୟ ଭୀତି ।
ଏବେ ମୁଁ ବସିଛି ମୋ ଦୁଃଖର ପାହାଡ଼ ଉପରେ
ଆଖିର ଆଇନାରେ ଖାଲି ଶୂନ୍ୟତା ଖେଳିବୁଲେ ।
ମତେ ଖାଲି ଶୁଭିଯାଏ ମୋ ଜୀବନର କ୍ଲାନ୍ତ ଶାହାନାଇ
ଅବଶିଷ୍ଟ ଜୀବନ ବଞ୍ଚିବାକୁ
ତୋ ଚ୍ଛଡା ମୋର ଆଉ କିଛି ରାହାନାହିଁ ।
ତୁ ଯଦି କହିବୁ..
ଆଉ କିଛି କହିବିନି କବିତା ଆଳରେ. .
ଯେତେ ଅଭିମାନ, ଯେତେ ଅସହାୟତାକୁ
ବଖାଣିବିନି ଗପର ସାହାରାରେ ।
ଯେତେ ଯେତେ ତୋର ମୋର ଗୋପନୀୟ ଭାବ
ସାଇତି ରଖିଦେବି ମୋ ହୃଦୟର ନିବୁଜ କୋଣରେ ।
ଆଉ ଖୋଜିବି ନିତୋ ଛାତିର ଉଷ୍ମତା
ମୋ ଆୟୁଷର ଶେଷ ସୀମାଯାଏଁ ।

Writer's Details: Rabindra Kumar Biswal. Acharya Vihar, Bhubaneswar-751013
Content Category:
Submission Date: Jul 13, 2019