ମନର ମାନସୀ ସପନରେ ଆସି
କହିଦିଏ ମିଠା କଥା ;
ନିଶାର୍ଦ୍ଧ ରାତ୍ରୀରେ ଆସେ ଗୋପନରେ
ଖେଳିବାକୁ ପ୍ରେମ ଶଠା !!

ପ୍ରେମର ମନ୍ତର କରେ ନିରନ୍ତର
ରାତି ଅନ୍ଧାରରେ ବେଶି ;
ଆହାକି ସୁନ୍ଦର ରୂପକାନ୍ତି ତା'ର
ସରାଗରେ ଦିଏ ହସି !!

ସପନ ନାୟିକା ସ୍ମୃତି ଅନାମିକା
ହୃଦୟରେ କରେ ଘର ;
ପରିଚୟ ତା'ର ସତେ ଅଗୋଚର
ଢାଳି ଦିଏ ପ୍ରେମ ନୀର !!

ଏକି ଅନୁଭବ ପ୍ରେମରେ ସରାଗ
ମନପ୍ରାଣ ମୋର ଝୁରେ ;
ବାସ୍ତବ ଜୀବନେ ମିଳିବ କିମୋତେ
ଭାବନାରେ ଦିନ ସରେ !!

ସପନର ଗାଥା ହବ ସତକଥା
ବିଶ୍ୱାସରେ ବସା ବାନ୍ଧେ ;
ରାତ୍ରୀରାଣୀ ମୋର ଦିବସେ ଆସିବ
ଚାଲି ଚାଲି ସେତୁ ବନ୍ଧେ !!

ପ୍ରେମର ମହାର୍ଘ୍ୟ କରିବି ଅର୍ପଣ
ଦୁନିଆଁ ଦେଖିବ ସତେ ;
ସିନ୍ଥୀରେ'ମୁଁ ଦେବି ସୁହାଗ ସିନ୍ଦୁର
ଭଲ ସେ'ପାଇବ କେତେ !!

ହେ'ସପନର ରାଣୀ ସାଜିବୁ ଘରଣୀ
ରହିଲା ମୋ'ପ୍ରେମ ରାଣ ;
ତୋ ମଥାରେ ଓଢ଼ଣି ଦେବି ମୁଁ'ଟାଣି
ରଖିବି ପ୍ରେମର ପଣ !!

Writer's Details: ସଦାନନ୍ଦ ସାହୁ, ଧୁରୁଷିଆ, ଆଠଗଡ, କଟକ
Content Category:
Submission Date: Jul 26, 2019