ଆଷାଢ ମାସ ଶୁକ୍ଳ ପକ୍ଷର
ଦ୍ୱିତୀୟା ତିଥି ଦିନ
ଆସଇ ପରା ରଥ ଯାତରା
ଆନନ୍ଦ ଭକ୍ତ ମନ ।।
ଓଡ଼ିଶା ରାଜ୍ୟ ବଡ଼ ପରବ
ସାରା ବିଶ୍ୱରେ ଖ୍ଯାତ
ବଡ଼ଦାଣ୍ଡରେ କେଡ଼େ ସୁନ୍ଦର
ଦିଶେ ତିନୋଟି ରଥ ।।
ତାଳଧ୍ଵଜରେ ଶ୍ରୀ ବଳଭଦ୍ର
ବିଜେ ହୁଅନ୍ତି ଆସି
ଦେବଦଳନ ରଥେ ସୁଭଦ୍ରା
ଚାଲନ୍ତି ହସି ହସି ।।
ସବା ଶେଷରେ ଭକତ ମେଳେ
ନନ୍ଦିଘୋଷରେ ଚଢି
ବଡ଼ ଠାକୁର ଶ୍ରୀଜଗନ୍ନାଥ
ଆସନ୍ତି ପରା ମାଡ଼ି ।।
ନଅ ଦିନରେ ମାଉସୀ ଘରେ
ପୋଡ଼ ପିଠାକୁ ଖାଇ
ଭାଇ ଭଉଣୀ ଫେରି ଆସିବେ
ମନ ଖୁସିରେ ଯାଇ ।।
ବଡ଼ଦାଣ୍ଡରେ ରଥ ଆଗରେ
ସାନ ବଡ଼ କେ ନୁହେଁ
ସଭିଏଁ ଏଠି ସମାନ ପରା
ଭକ୍ତିରେ ମଥା ନଏଁ ।।
ଶିବ ପ୍ରସାଦ ସାହୁ
ଗୋପିନାଥପୁର ସାହି, ଚାନ୍ଦପୁର,ନୟାଗଡ଼
ପିନ୍-752024, ମୋ-9692374659
