ଯୋଉ ପୃଥିବୀର ତରୁ ଲତା ଡାଳେ
କୋଇଲି କରଇ ମଧୁର ତାନ
ଯୋଉଠି ମଳୟ ସୁରଭି ବୁଣଇ
ଉତ୍ତଳା କରେ ମନ ବଚନ ।

ଝରଣାର କୁଳୁତାନରେ ଯୋଉଠି
ମନ ଫୁଲାଣିଆ ଗୀତର ସୁର
ନଈ ଧାଉଁଥାଏ ସାଗର ମିଳନେ
ପ୍ରାଣ ପୁଲକିତ ସ୍ନେହ ସଜଳ ।

ସାଗର ଯୋଉଠି କର୍ମର ମନ୍ତ୍ର
ଗାଉଥାଏ ହେଳା ନକରି ତିଳେ
ରବି, ଶଶୀ, ତାରା ଗଗନରେ ରହି
ମନ୍ତ୍ର ଗାଆନ୍ତି ମନ୍ଦ୍ର ସୁରେ ।

ଋତୁରେ ଋତୁରେ ନାନାଜାତି ଫୁଲ
ବିତରନ୍ତି ବାସ, ରୂପର ଶୋଭା
ଫୁଲରେ ଫୁଲରେ ମଧୁପଙ୍କ ମେଳା
ଚିତ୍ତହାରକ କି ମନଲୋଭା ।

ଜନନୀ ଯୋଉଠି ସେନେହ ସଜଳା
ସନ୍ତାନପାଇଁ ମନାସି ସୁଖ
ଜୀବନର କାଳ ହେଳେ କାଟିନିଏ
ଆପେ ବରିନେଇ ଅସରା ଦୁଃଖ ।

ପିତା ବାହାରକୁ ନାରିକେଳ ସମ
ପିତା, କଟୂ, ମଧୁ ବଚନ ଲାଗେ
ଶିଷ୍ଟପାଇଁକି କଷ୍ଟ ଉଠାନ୍ତି
ସ୍ବାର୍ଥ ବରଜି ଜୀବନ-ଯାଗେ ।

ଭାଇ ଭଉଣୀ ଓ ପତି ପତ୍ନୀର
ଅନାବିଳ ସ୍ନେହ ଯୋଉଠି ଝରେ
ଜ୍ଞାତି କୁଟୁମ୍ବ ଓ ବନ୍ଧୁ ସମ୍ବନ୍ଧ
ବନ୍ଧା ଯୋଉଠି ଶକ୍ତ ଡୋରେ ।

ସଞ୍ଜେ ସକାଳେ ଆକାଶ ଯୋଉଠି
ରଙ୍ଗ ମୁରୁଜ ବିଛାଡିଦିଏ
ଗାଆଁଦାଣ୍ଡର ହମ୍ବାରଡି ତ
ମନ୍ତ୍ରେ ପାବନ ପରିବେଶ ହୋଇଯାଏ ।

ଧେନୁ, ଛାଗପିଲା ଲାଞ୍ଜକୁ ଟେକି
ଡିଆଁମାରି ମାଆ ସାଥିରେ ଖେଳ
ମାଆ ପହ୍ନାରେ ମୁହଁ ଲୁଚାଇବା,
ମୁହଁ ମନ୍ଥନ କି ମନୋହର  !

ଶିଶୁମାନଙ୍କର ବାଲି ଧୂଳି ଘେନି
ଜାତି ଜାତି ଖେଳ ଯୋଉଠି ଥାଏ
କୁମାର କୁମାରୀ ହୋଇ ଏକ ମେଳି
ଗଆ, ତୋଟାମାଳ ଉଚ୍ଛୁଳୁଥାଏ ।

ଘଣ୍ଟ, ମୃଦଙ୍ଗ, ଶଙ୍ଖର ସୁର
ପୂରିଉଠେ ଯହିଁ ସଞ୍ଜକୋଳେ
ଲୁଚି ବୁଲୁଥାଏ ଭକ୍ତିରେ ଛନ୍ଦା
ଗୋବିନ୍ଦ ଯୋଉଠି ଆଢୁଆଳରେ ।

ଯୋଉ ମାଟିପରେ ଜନମ ନେବାକୁ
ସରଗ ଦେବତା ଆତୁର ହୁଏ
ଭିଜା ଭିଜା ମାଟି ମିଠା ବାସ୍ନାରେ
ନାରାୟଣ ଅବତାରଟି ନିଏ ।

ସେଇ ବସୁଧାରେ ଜନମ ମୋହର
କୋଟି ଜନମର ତପର ଫଳ
ମୋକ୍ଷ କାହିଁକି ଲୋଡିବି ମୁଁ କହ
ଇଏ ତ ମୋହର ପୁଣ୍ୟବଳ ।

Writer's Details: ରମେଶ ଚନ୍ଦ୍ର ମିଶ୍ର
ତାପସ କୁଟୀର, ବଇଣ୍ଡା ଅନୁଗୋଳ, ମୋ- ୮୨୪୯୯୦୭୮୭୭
Content Category:
Submission Date: Jun 12, 2019