ଛାତି  ତଳେ  ସବୁ  ଦୁଃଖ  ଯନ୍ତ୍ରଣା
ପଣତରେ  ଆଶ୍ୱସନା  ନିର୍ଭୟତା
ବିଶେଷତ୍ୱହୀନ `ବୋଉ' 
ଆଶା,  ଆଶଙ୍କାରେ  ଭୟଭିତ
ଆଖିତଳୁ  ଲୁହ  ଝରୁଥିବା
ଠାକୁରଙ୍କୁ  ନିତି  ଡାକୁଥିବା
ହାରି  ଯାଉଥିବା  ବୋଉ ।

ମୋ'  ଆଖିରେ  ସ୍ୱପ୍ନ  ଦେଖୁଥିବା
ମୋ' ପାଦରେ  ପାଦରଖି  ଚାଲୁଥିବା
ନିଃସଙ୍ଗତାରେ  ସଙ୍ଗ  ଦେଉଥିବା
ଛୁଇଁବାକୁ  ହାତ  ବଢେଇଥିବା
ଆକାଶର  ଅଜେୟ  ଭୂଇଁକୁ
ମହାଶୂନ୍ୟକୁ  ଆବୋରିଥିବା  ବୋଉ ।

ସାତରଂଗର  ମୂରୂଜ  ପକାଉଥିବା
ଅ ' ଆ,  ଘୋଷାଉଥିବା
ଜୀବନ  ମାତ୍ରେଇ  ଜିଣିବାର  ନିଶା
ଯୀଶୁ,  ମହାବୀର,  ମହମ୍ମଦ,  ବୁଦ୍ଧ
ଗୀତା,  ବାଇବେଲ୍,  କୋରାନ୍
ପୃଷ୍ଠା  ଓଲଟାଉଥିବା  ବୋଉ  ।

ଯୁଦ୍ଧୋଖୋର  ପୃଥିବୀରୁ
କୂଳଲଙ୍ଘା  ଅଶାନ୍ତ  ସମଦ୍ରରୁ
ଗର୍ଜନ  କରୁଥିବା  ହିଂସ୍ର  ମୁଖରୁ
ବୃନ୍ତଚ୍ୟୁତ  ପୁଷ୍ପଟିରୁ
ହାତ  ପ୍ରସାରୀ  ନରମ  ଓଠରେ
ଚୁମା  ଦେଇ  କୋଳେଇ  ନେଇଥିବା
ଅଭୟ  ଦେଉଥିବା  ଉଦାସି  ବୋଉ
ସତେ  ମୁଁ'  ଆଙ୍କୁଥିବା  ବୋଉର  ଏ
ନିର୍ଜୀବ  ଏକ  ଦାର୍ଶନିକର  ଛବି
ଯା'ର  କେବେ  ତୁଳନା  ନାହିଁ   ।

ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗୀୟ ମୁଖ୍ୟ
ମହାନଦୀବିହାର ମହିଳା ସ୍ନାତକ ମହାବିଦ୍ୟାଳୟ, କଟକ-4
ଦୂରଭାଷ : 94377 40280

Writer's Details: ଡକ୍ଟର ଲକ୍ଷ୍ମଣ ସାହୁ
Content Category:
Submission Date: Jul 12, 2019