ବଡ଼ ଦାଣ୍ଡେ ଆଜି ଲାଗିଛି ଗହଳି 
ଭକତଙ୍କ ଭିଡ଼ ଭାରି
ରଥାରୂଢ ଦେଖ ହେଲାଣି କାଳିଆ
ଭାଇ ଭଉଣୀଙ୍କୁ ଧରି ୲୲

ମାଉସୀ ମାଆକୁ ଦେଇଥିବା କଥା
କେମିତି ଭୁଲିବ କୁହ
ଦଗାଦିଆ ପୁଣି ନ କହୁ ମାଉସୀ
ସେ ପରା ତା' ଗେହ୍ଲା ପୁଅ ୲୲

ଅଙ୍ଗ ବସ୍ତ୍ର ତା'ର କେଡ଼େ ଝଲମଲ
ପାଟ ପିତାମ୍ବରୀ ଆହା
ପୂର୍ଣ୍ଣ ବ୍ରହ୍ମ ସିନା ଭକ୍ତ ପାଇଁ ସଦା
ଖୋଲା ତା'ର ଚଉବାହା ୲୲

ଡାହୁକ ଉଚ୍ଚାଟ ଶୁଭେ ଘନ ଘନ
ଭକତଙ୍କ ଜୟ ଧ୍ଵନି
ହୁଳହୁଳି ସଙ୍ଗେ ରହି ରହି ଶୁଭେ
ଭେରୀ ତୂରୀ ଶଙ୍ଖ ଧ୍ଵନି ୲୲

ତିନି ରଥେ ବିଜେ ଚତୁର୍ଦ୍ଧା ମୂରତି
ଆହା କେତେ ଶୋଭାବନ୍ତ
ଭକ୍ତ ଭଗବାନ ହେବେ ଏକାକାର
ପ୍ରତୀକ୍ଷାର ଆଜି ଅନ୍ତ ୲୲

ଘୋଷଯାତ୍ରା ସିନା ନାମକୁ ମାତର
ଭକ୍ତ ପାଇଁ ସବୁ ଲୀଳା
ନବଦିନ ପଥେ ଭକତଙ୍କ ମେଳେ
ଯେତେ ତା'ର ଲୀଳା ଖେଳା ୲୲

କୋଟି ହୃଦୟକୁ କରେ ବିମୋହିତ
ଭାବର ଡ଼ୋରିରେ ବାନ୍ଧି
କୋଟି ମନ ପ୍ରାଣ କରେ ସମ୍ମୋହିତ
ପ୍ରେମର ଫାଶରେ ଛନ୍ଦି ୲୲

କାହିଁ କେତେ ଦୂରୁ ଟାଣେ ତା'ର ଡ଼ୋରି
ଭକତ ଜନଙ୍କ ମନ
ଜାତି ଧର୍ମ ଅବା ଭେଦାଭେଦ ନାହିଁ
ବଡ଼ଦାଣ୍ଡ ଜନାକୀର୍ଣ୍ଣ ୲୲

କୋଟି ହୃଦୟର ମଉଡମଣି ସେ
ରତ୍ନ ସିଂହାସନ ତୁଚ୍ଛ
ଶ୍ରୀମନ୍ଦିର ଛାଡି ଆସିଛି କାଳିଆ
ବନ୍ଧୁପଣ ତା'ର ଉଚ୍ଚ ୲୲

ଦୁଃଖି ଦରିଦ୍ରର ସଖା ପରା ସିଏ
ନାମ ବହେ ଦୀନବନ୍ଧୁ
ଭକତ ଅଇଁଠା ଖୁଦ ଭଜା ରଙ୍କ
କୃପାମୟ କୃପାସିନ୍ଧୁ ୲୲

Writer's Details: ସଂଯୁକ୍ତା ରାଉତ, ଶିକ୍ଷୟିତ୍ରୀ
ଜୟପୁର , କୋରାପୁଟ
Content Category:
Submission Date: Jul 05, 2019