ସେଇ ପ୍ରିୟ ମଣିଷଟିର
ଠିକଣା ବଦଳିଲା ପରେ
କେତେ ନିଦାଘ ଶ୍ରାବଣ
ଶୀତ ଗତିକଲାପରେ
କେବେ ଯାଇଛକି ସେଇ ସହରକୁ ।

ଯୋଉଠି ଦିନେ ସୃଷ୍ଟି ହୋଇଥିଲା
ପ୍ରେମ ଆଉ ପୀରତିର ସୁନ୍ଦର ଝରଣା
ଝର ଝର ଝରୁଥିଲା ଅମୃତର ଝର
କୁଳୁକୁଳୁ ଶବଦ ତା ଗାଉଥିଲା ପ୍ରଣୟ ରାଗିଣୀ ।

ଆଉ ଏବେ ସେଇ ରାସ୍ତା ସେଇ ଗଛ
ନଦୀ ଆଉ ନଦୀ ପୋଲ
ସହର ବଜାର
ଆଖିରେ ପଡିଗଲା ପରେ
ସମସ୍ତେ ମୋତେ ହିଁ ଚାହିଁଥାନ୍ତି
ଗୋଟେ ଅଲଗା ଦୃଷ୍ଟିରେ ।

କେଉଁ ଏକ ଅଜଣା ଦହନରେ
କୁହୁଳି ଉଠେ ମନ
ଅଫେରା ଫଗୁଣକୁ
ଫେରେଇ ଆଣିବାକୁ
ଭାରି ଇଛା ହୁଏ
ହେଲେ ତାହା କେବେ ହୁଏନି ସମ୍ଭବ

ହେ ସମୟ ତୁମେ ଯେମିତି ଭୁଲିଯାଇଛ ସବୁ କିଛି
ମୋତେବି ସେ ଶକ୍ତି ଦିଅ
ମୁଁ ଯେମିତି ଭୁଲିଯିବି
ଅଳସୀ ନଈକୁ ସ୍ମୃତିର ଛାଇକୁ
ହଜେଇବି ସବୁ ସ୍ୱପ୍ନ ଉଆଁସ ଅନ୍ଧାରେ
ଭସେଇବି ସବୁ ଇଚ୍ଛା
ବୈତରଣୀ ଧାରେ

ଦିନେ ଦେଖିବ ହେ ସମୟ
ମୁଁ ଭୁଲିଯାଇଥିବି ସତରେ ତୁମକୁ
ମୁଁ ଭୁଲି ଯାଇଥିବି ସତରେ ତୁମକୁ
ସତରେ ତୁମକୁ - - - ।

Writer's Details: ସିଦ୍ଧେଶ୍ବର ତ୍ରିପାଠୀ
Content Category:
Submission Date: Jul 23, 2019