ବିତିଲା ରଜନୀ ପାହିଲା ଯାମିନୀ
ଉଠ ଧନମଣି ଦେଖ
ବିହଙ୍ଗ କୁକୁଟ ପିକ ଶୁକ ଆଦି
ଛୁଟିଲେଣି ମଧୁ ଡାକ..

ଧରଣୀ ପରାଣି ସବୁଜ ବନାନୀ
ଆଳସ୍ୟ ଚାଦର ତେଜି
ମଳୟ ପବନେ ପ୍ରଫୁଲ୍ଲ ବଦନେ
ଆଶା କିରଣେ ବିରାଜୀ..

ପୂତ ପୟୋଧୀ ଗମ୍ଭୀର ମୂର୍ଚ୍ଛନା
ମୃଦୁ ଗୁଞ୍ଜରଣ ଖେଳେ
ବିବିଧ ପ୍ରସୂନ ବିଧୌତ ମଞ୍ଜୁଳ
ସ୍ୱାଗତେ ତା କରେ ତୋଳେ..

ଶଙ୍ଖ ହୁଳହୁଳି ଘଣ୍ଟ କରତାଳି
ମଙ୍ଗଳ ଆଳତୀ ଭାସେ
ଦେବଜ୍ଞ ପଣ୍ଡିତ ମନ୍ତ୍ର ଉଚ୍ଚାରଣେ
ମରତ ସରଗ ଦିଶେ..

ବାଳୁତ ଭାଷ୍କର ପୁଷ୍କର ଛାତିରେ
ପାଦ ଥାପି ଚାଲିଲାଣି
ଦୂର ଦିଗବଳୟ ସ୍ୱର୍ଣିମ ଓଢଣୀ
ଲାଜ ମୁହେଁ ଢାଙ୍କିଲାଣି..

ଆହ୍ଲାଦିତ ହାସ୍ୟ ବିଚ୍ଛୁରିତ ହୋଇ
ଧରଣୀ ବଖରା ଭିଜେ
ଦୂର୍ବାଦଳ ଅଙ୍ଗେ କାକର ମୁକୁତା
ସାଧବ ବୋହୂ କି ସାଜେ..

ଅଳପ ନିଦ ରୁ ବୀଜ ନେତ୍ର ମେଲି
ଚକିତ ଚାହିଁ ସର୍ବତ୍ର
ଚପଳାମୀ ପ୍ରଜ୍ଞା ବାୟୁ ବାରି ତାପ
ଖେଳୁଛନ୍ତି ହୋଇ ମିତ୍ର..

ଉଠ ଧନମଣି ଉଠିଯା'ରେ ତୁହି
ପ୍ରଭାତ ହୋଇବ ବାସି
ସ୍ୱପ୍ନ ଯେତେ ତୋର ସମାକୁଳ ଅଛି
ଡାକିଲେଣି ତୋତେ ହସି..

ଚାଲିବାକୁ ଅଛି ବାଟ ବହୁ ଦୂର
ଫେଡିଦେ ଆଳସ୍ୟ ସୁଖ
ସପନ ର ପଥେ ଭୁଲିଯାଆ ସବୁ
ଆସୁ ଯେତେ ଦୁଃଖ ଶୋକ..

ଏବେ ନ ଚାଲିଲେ କେବେ ଚାଲିବୁ'ରେ
ପଥ ହେବ ଅନ୍ଧକାର
ଉଠିଯା ଉଠିଯା ନୟନ ପିତୁଳା
ଉଠିଯା' ରେ ଧନ ମୋର..

ଚକ୍ରଧରପୁର, କେନ୍ଦୁଝର
ତା-19/06/2019