ସରଗ ଠୁଁ ବଡ଼ ଏଇ ମୋର ଗାଆଁ
ଏଇ ମୋ ଜନମ ମାଟି
ସେନେହ ,ମମତା ପୀରତି ରେ ଭରା
ମାଟି ନୁହେଁ ସେ ମାଆଟି ।
ରାଜ୍ୟ ମଧ୍ଯେ କେନ୍ଦ୍ର ସ୍ଥଳରେ ରହିଛି
ଅନୁଗୋଳ ଜିଲ୍ଲା ଆମ
ଉପଖଣ୍ଡ ଅଟେ ଆଠମଲ୍ଲିକ ମୋ
ଘୋଷର ଗ୍ରାମେ ଜନମ ।
ତା ପାଣି ପବନେ ଗଢ଼ା ମୋ ଶରୀର
ବାଲି ଧୂଳି ମୋ ଚନ୍ଦନ
ବିଲ ବଣ ନଦୀ, ପାହାଡ଼ ପ୍ରାନ୍ତର
ପୁଲକିତ କରେ ପ୍ରାଣ ।
ସ୍ୱଚ୍ଛ ନୀର ଧାର ଧରି ବଡ଼ ଜୋର*
କୁଳୁକୁଳୁ ନାଦେ ଗାଇ
ଉତ୍ତର ଦିଗରେ ମାହେଶ୍ୱରୀ* ପାଦେ
ଅବିରତ ଯାଏ ବହି ।
ବିଦ୍ୟା ର ମନ୍ଦିର ମାଉସୀ ମା ଘର
ପୂରୁବ ଦିଗରେ ରହି
ବାଣୀ ଆରାଧନା ଶୁଭାରମ୍ଭ ହୁଏ
ବିଭୁ ଙ୍କ ବନ୍ଦନା ଗାଇ ।
ଚତୁର୍ଦ୍ଧା ମୁରତି ହୋଇ ବିରାଜିତ
ବାରୁଣୀ ରେ ପାଏ ଶୋଭା
ଗ୍ରାମଦାଣ୍ଡ ହୁଏ ସତେ ବଡ଼ ଦାଣ୍ଡ
ରଥଯାତ୍ରା ମନଲୋଭା ।
ଗୁରୁ କଇଁଫୁଲ ସ୍ମୃତିରେ ଅଦ୍ୟାପି
ଭାଗବତ ନାମ ଗାନେ
ବାବାଙ୍କ ମୁରତି ଦିବ୍ୟ ଆଭା କାନ୍ତି
ମଠ ବିରାଜେ ଦକ୍ଷିଣେ ।
ଦଣ୍ଡ ଦଶହରା ରଥ ବାହୁଡା଼ ରେ
ମୋ ଗାଆଁ ଦାଣ୍ଡ ଉଚ୍ଛୁଳେ
ବାରମାସେ ତେର ପରବ ବିଧିରେ
ମାଆ ଭଉଣୀ ମୋ ପାଳେ ।
ଦୂରେ ଥାଇ ଆଜି ମନେ ପକାଉଛି
ପିଲା ଦିନ ଧୂଳି ଖେଳ
ଭୁଲିପାରିବିନି ପ୍ରିୟ ଜନ୍ମଭୂମି
ସ୍ମୃତି ଥିବ ଚିରକାଳ ।

ଜୋର -- ଛୋଟ ନଦୀକୁ କଥିତ ଭାଷାରେ 'ଜୋର ' କୁହାଯାଏ, ମାହେଶ୍ୱରୀ -- ଗ୍ରାମର ଇଷ୍ଟଦେବୀ
Writer's Details: ଘନଶ୍ୟାମ ସାହୁ ,ବଇଣ୍ଡା ,ଅନୁଗୋଳ
Content Category:
Submission Date: Jun 27, 2019