ଏଇ ଦେଶ ମୋର ସୁନାଠାରୁ ବଳି
କିଏ ହେବ ତା'ର ସରି ,
ଧୂଳି-ମାଟିରେ ଯା'କୋଣେ ଅନୁକୋଣେ
ମମତା ରହିଛି ଭରି ।

ଗଙ୍ଗା,ଗୋଦାବରୀ,ନର୍ମଦା,କାବେରୀ
ଅଟନ୍ତି ଯା' ଗଳାହାର ,
ଗିରିରାଜ ତା'ର ମଥାର ମୁକୁଟ
ଚରଣ ଧୁଏ ସାଗର ।

ସବୁଜ ବନାନୀ ବସନ ତାହାର
ଗରଭରେ ହୀରା-ମୋତି ,
ବାରବାର ଆସି ଲୁଣ୍ଠନକାରୀଏ
ନେଇଛନ୍ତି କେତେ ଲୁଟି ।

ଭୀରୁ କାପୁରୁଷ ଦଳ ଯେତେବାର
କୁଚକ୍ରାନ୍ତ କରିଛନ୍ତି ,
ଏ ମାଟି ମାଆର ବୀର-ବୀରାଙ୍ଗନା
ତା' ସମ୍ମାନ ରଖିଛନ୍ତି ।

ଧର୍ମ,ରୀତି,ନୀତି,ସଭ୍ୟତା,ସଂସ୍କୃତି
ଉତ୍କର୍ଷ ତାହାର ସଦା ,
ଡରିଯାଇ କେବେ ବଇରୀ ଆଗେ ସେ
ମଥା ନୁଆଇନି କଦା ।

ଯୁଗେ ଯୁଗେ ସେ ତ ବିଶ୍ୱର ଆଦର୍ଶ
ଶକ୍ତିଦାୟୀ-ଶାନ୍ତିମୟୀ ,
କୋଟିଏ ପ୍ରଣାମ ଜଣାଉଛୁ-ଯେତେ
ତା' ସନ୍ତାନ ପଦ ଧ୍ୟାୟୀ ।

ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।