ହାଏ ରେ ଜୀବନ - ଶିବ ଚରଣ ମହାପାତ୍ର

0
ଏନ୍ତୁଡି ଶାଳ ରୁ ଯୁଇ ନିଆଁ ଯାଏଁ
ଜୀବନ ର ପଥ କୋଳାହଳ
ମଣିଷ ଲଢୁଛି ନିଜ ସାଥେ ନିଜେ
ଖୋଜି ସୁ-ଶୀତଳ ଶାନ୍ତି କୋଳ..

ଦି ଦିନ ଜୀବନ କେତେ ରାସ ରଚେ
ଆପଣାକୁ କରି ସାତ ପର
ସ୍ମୃତି ଝାଉଁ ବଣେ ଅଣ୍ଡାଳି ଖୁସି କୁ
ମରୁ ବାଲି ପରେ ତୋଳେ ଘର..

ବେଳାଭୂମି ଛାତି କେତେ ଯେ ସହୁଛି
ଦୁଃଖ ଯନ୍ତ୍ରଣା ର ଢେଉ ମାଡ
କେବେ ହସ ଭରା ତାରା ଫୁଲ ତୋଳେ
କେବେ ଶ୍ରାବଣ ର ଲୁହ ଝଡ..

ହାଏ ରେ ଜୀବନ କେତେ ତୁ ନଚାଉ
ଦେଇ ସ୍ୱାର୍ଥ ବିଷ ହଳାହଳ
ଆଖିରେ ପିନ୍ଧେଇ ସ୍ୱପ୍ନ ର ମୁଖା ଟି
ବଶୀଭୂତ କରୁ ସକଳ..

ଦିକି ଦିକି ଜଳୁ ଦୀପ ଶିଖା ସମ
କେବେ ଛାଇ-ଆଲୁଅ ର ଖେଳ
କେବେ ମହମହ ଫଗୁଣ ଚଇତି
କେବେ ନିଦାଘ ର ରିକ୍ତ କୋଳ..

ଏଇ ଉଜ୍ଜଳ କୁ କ୍ଷଣିକେ ଅନ୍ଧାର
ଧୂମାଭ ହାଟ ର ଠିକଣା
ସବୁ ଘାଟ ପାଣି ପିଏ ଏ ମଣିଷ
ବାଟ ଯେବେ ତାକୁ ଅଜଣା..

ଏଇ ତିକ୍ତ ଖରା ଏଇ ଶିକ୍ତ ଛାୟା
ଏଇ ସଞ୍ଜ ଏଇ ସକାଳ
ଏଇ ଦୁଃଖ ସୁଖ ହସ କାନ୍ଦ ଭରା
କ୍ଳେଶ ଜର୍ଜରିତ ଜଞ୍ଜାଳ..

ମାନ -ଅଭିମାନ-ଘୃଣା-ସନମାନ
ନାନା ରଙ୍ଗେ ସଙ୍ଗେ ହୁଏ ଠୁଳ
ତିକ୍ତ ଶିକ୍ତ ରିକ୍ତ ଅନୁଭୂତି ନେଇ
ସାଉଣ୍ଟେ ପଣତେ ହୋଇ ବିହ୍ଵଳ..

ଋତୁ ବଦଳିଲେ ବଦଳେ ପ୍ରକୃତି
ବଦଳେ ତା ଦେହ ରୂପ ରଙ୍ଗ
ସେ ଭାବେ ବିଚାର ବାଟ ହୁଡି ଗଲେ
ବଦଳନ୍ତି ଭଲ-ମନ୍ଦ ସଙ୍ଗ..

ଚୋରା ବାଲି ପ୍ରେମ ମିଛ ଅଭିନୟ
ସତ ଚିତ୍ ଆତ୍ମା ଅମର
ତଥାପି ବିଷୟା ରସେ ବୁଡି ରହି
ଜୀବନ ଗଢୁଛି ସଂସାର..

ଅବୁଝା ମଣିଷ ବୁଝେନା ତୋ ମାୟା
ମାଟି ଦେହ ବୋଲେ ସର୍ବସ୍ଵ
ପଞ୍ଚ ଭୁତେ ଗଢା ଶରୀର ଅନ୍ତରେ
ଲୁଚି ଅଛି ଗୂଢ ରହସ୍ୟ..

ସେ ରହସ୍ୟ ଉନ୍ମୋଚିତ ହେବ ଯେବେ
ହୃଦୟେ ବସିବେ ଶ୍ରୀହରି
ସେବେଳେ ଜୀବନ ମଧୂର କଣ୍ଠରେ
ବାଜିବ ଅଫୁଟା ବାଁଶୁରୀ...

ଶିବ ଚରଣ ମହାପାତ୍ର
ଚକ୍ରଧରପୁର, କେନ୍ଦୁଝର
Sent from my Samsung Galaxy smartphone.

Post a Comment

0Comments
Post a Comment (0)