
ସୂରୁଜ ଯେ କାଳେ ମୁରୁଜ ବୁଣଇ
ଚହଟଇ ସୁନା ରଙ୍ଗ
ନୀଳ ପରବତ ଉହାଡୁ ସହସା
ଝରେ ଆଲୋକ ତରଙ୍ଗ
ନଭେ ନିରିଭୟେ ଉଡନ୍ତି ପକ୍ଷୀଏ
ଶୁଭଇ କାକଳୀ ସ୍ୱନ
ନୀଳ ଜଳରାଶି ଛୁଏଁ ଧୀରେ ଆସି
ଶିହରେ ତୋ ତନୁ ମନ
ରୂପସୀ ସରସୀ ଦିଅଇ ଆଉଁସି
ତୋ ବୁକୁ ଉଠଇ ଥରି
ଊଷାମିଶା ବାତେ ତୋ ପାଷାଣଗାତ୍ରେ
ଅୟୁତେ ରୋମାଂଚ ଭରି
ତୋ ମଥାରେ ଯୋଷା କରେପଦଘସା
ଝୁଣ୍ଟିଆ ପାଉଁଜି ବାଜେ
ତା ପାଦ ଅଳତା କସେ ବଧୂ ବେଶେ
ଆରକ୍ତ ତୋତନୁ ଲାଜେ
ଅଳସୀ କିଶୋରୀ ତନୁରେ ତୋହରି
ଘସି ତା ଚରଣ ଧୁଏ
ତୋ ଦେହରେ ମସି ଯାଏ ସିନା ବସି
ତା ତନୁ ନିର୍ମଳ ହୁଏ
ତୁହି ଅଛୁ ସାକ୍ଷୀ କେତେ ବିଧୁମୁଖୀ
ଧୋଇଛି ତା ନଗ୍ନ ଦେହ
ବାପଘର ତେଜି ଯାଇଛି ଯେକାଳେ
ତୋ ପରେ ଝରିଛି ଲୁହ
କେତେ ପ୍ରୀତିମିଶା ମତୁଆଲା ସଞ୍ଜ
ନବ ପୁଲକିତ ଊଷା
ଶତ ଇତିହାସ ମର୍ଦ୍ଦିତ ତୋ ଗାତ୍ର
ସହସ୍ର କଳଙ୍କ ମିଶା
ସମୟ ଜୁଆର କ୍ରମ ନିରନ୍ତର
ଋତୁଏ ଯାଆନ୍ତି ହଜି
ତୁ ତୂଠ ପଥର ସାକ୍ଷୀ ସବୁୁ ଥର
ସରାଗେ ବିରାଗେ ଭିଜି
ପ୍ରମୋଦ କୁମାର ପଣ୍ଡା
ବାଘମାରୀ, ଖୋର୍ଦ୍ଧା
