ସଂଜେ ସକାଳେ ମନେପଡ
ତୁମେ ମଲ୍ଲୀକା
କେଜାଣି କାହିଁକି ଫି ହୋଲିରେ
ତୁମେ ବେଶୀ ମନେପଡ
ମନେପଡେ ତୁମର ସେ
ନାରଙ୍ଗୀ ଅଧର
ଆଉ ଅଧରରେ
ଲାଖିଥିବା ହସ ଫିକାଫିକା ।
ମନେପଡେ ତମର ସେ
ଦେହର ରଂଗଟା
ହଳଦୀ ଗୁରୁଗୁରୁ
ଅତି ମନଲୋଭା
ବେଣ୍ଟପୋଖରୀ କଳାଘୁମର
ପାଣିପରି
କାନଠୁ କଟା ଯାଏ ଲମ୍ବିଥିବା
ଛାଟ ବେଣୀ ଦି'ଟା ।
ମନେପଡେ ତମର ସେ ଭସା ଭସା
ନୀଳ ଆଖି ଦୁଇ
ଦୁଇ ଭ୍ରୁଲତାର ମଧ୍ଯେ
ବାଇଗଣୀ ବିନ୍ଦି
ଚାହିଁଦେଲେ ଗଣ୍ଡଦେଶ
ହୁଅଇ ରକ୍ତିମ
ବେଳକାଳ ଦେଖି ମୁଁ କିନ୍ତୁ
ଚାହୁଁଥିଲି କଣେଇ କଣେଇ ।
ତମର ଚମ୍ପାକଢି ଅଙ୍ଗୁଳି
ବି ମନେପଡେ
ପରଶ ଯା ସବୁଜିମା
ହୄଦୟରେ ଭରେ
ଭାବନାର ଅନ୍ତ ଘଟେ
ବାସ୍ତବତା ଫେରେ
ନେଳିଆ ଆକାଶଟା
ଘନନୀଳ ଜଣାପଡେ ।
ଆଙ୍କିଥିଲି ଇନ୍ଦ୍ରଧନୁ ତମର ସେ
ସାତରଂଗ ନେଇ
ଦେଖିଥିଲି
ସୁନେଲି ସପନ
ବନ୍ଧାପଡିଗଲା ତମପାଖେ
ଜୀବନର ରଙ୍ଗ
ତମେ ମୋ ବନାନୀ
ତମେ ଚିରସ୍ରୋତା ନଈ ।
ସଲିଳ କୁମାର ସ୍ଵାଇଁ, ଶିକ୍ଷକ
ସୁନ୍ଦରପୁର ପ୍ର ଉ ପ୍ରା ବିଦ୍ୟାଳୟ
